ପୁଣି ଭାରତକୁ ଧମକାଇଲା ଆମେରିକା, ଋଷିଆଠାରୁ ଏସ୍‌-୪୦୦ କିଣିଲେ କଠୋର କଟକଣା ଲଗାଇବୁ

ନୂଆଦିଲ୍ଲୀ : ଋଷିଆଠାରୁ ଏସ୍‌-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦକୁ ନେଇ ପୁଣି ଭାରତକୁ ଚେତାବନୀ ଶୁଣାଇଛି ଆମେରିକା । ଚେତାବନୀ ସତ୍ତ୍ୱେ ଯଦି ଭାରତ ଏହା ଖରିଦ କରେ ତେବେ କଠୋର କଟକଣା ଲଗାଯିବ ବୋଲି ଆମେରିକା ଏକରକମ ଧମକ ଦେଇଛି ।
ନିକଟରେ ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏସ୍‌-୪୦୦ କିଣିଲେ ଭାରତକୁ ଯେ ଶାସ୍ତି ଦିଆଯିବ ନାହିଁ, ସେଭଳି କିଛି ଗ୍ୟାରେଣ୍ଟି ଦିଆଯାଇନାହିଁ ।

ସେ କହିଛନ୍ତି ଯେ ଆମେରିକୀୟ କଂଗ୍ରେସ ଦ୍ୱାରା ଭାରତକୁ ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦିଆଯିବା ଅର୍ଥ ଏହା ନୁହେଁ ଯେ ଭାରତ ସବୁ ପ୍ରକାରର କଟକଣାରୁ ଛାଡ଼ ପାଇଯିବ । ତେବେ ସେ କହିଛନ୍ତି ଭାରତ ହାତକୁ ଏସ-୪୦୦ ଆସିଲେ ତାହା ଆମେରିକା ପ୍ରତି କେତେ ବିପଦ ସୃଷ୍ଟି କରିବ ତାହାର ସମୀକ୍ଷା କରାଯିବ ଓ ତାପରେ ହିଁ କଟକଣା ସଂପର୍କରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ ଋଷିଆଠାରୁ ଯେଉଁ ଦେଶ ଏସ୍‌-୪୦୦ କିଣୁଛି ସେମାନଙ୍କ ଉପରେ ଆମେରିକା କଟକଣା ଲଗାଉଛି । ତୁର୍କୀ ଏସ୍‌-୪୦୦ କିଣିବା ପରେ ଆମେରିକା ତା ବିରୁଦ୍ଧରେ ମଧ୍ୟ ଆର୍ଥିକ ଓ ଟେକନଲୋଜୀ ହସ୍ତାନ୍ତର କଟକଣା ଲଗାଇଛି । ଏସ୍‌-୪୦୦ ଖରିଦକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ଏହାକୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ୍‌-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ହୋଇଥିଲା ।

ସମ୍ବନ୍ଧିତ ଖବର