ଚାଷୀ ଆତ୍ମହତ୍ୟା ରୋକିବାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା, ୨୦୧୮ରେ ଜଣେ ବି କୃଷକ ଆତ୍ମହତ୍ୟା କରିନାହାନ୍ତି

ଭୁବନେଶ୍ୱର : କୃଷକ ଆତ୍ମହତ୍ୟା ରୋକିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୧୮ରେ ରାଜ୍ୟରେ ଜଣେ ମଧ୍ୟ କୃଷକ ଆତ୍ମହତ୍ୟା କରିନାହାନ୍ତି ବୋଲି ଗୁରୁବାରଦିନ ପ୍ରକାଶିତ ଜାତୀୟ କ୍ରାଇମ ରିପୋର୍ଟ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଆଜି ୨୦୧୮ର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ୨୦୧୮ରେ ଭାରତରେ ସାମଗ୍ରିକଭାବେ କୃଷକ ଆତ୍ମହତ୍ୟା ହ୍ରାସ ପାଇଛି । ୨୦୧୮ରେ ମୋଟ ୧୦,୩୪୯ ଜଣ କୃଷକ ଓ କୃଷି ସଂପର୍କିତ ଲୋକ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ୫୭୬୩ ଜଣ କୃଷକ ଓ ୪୫୮୬ ଜଣ କୃଷି ଶ୍ରମିକ । ୨୦୧୭ରେ ଭାରତରେ ମୋଟ ୧୦,୬୫୫ ଜଣ ଓ ୨୦୧୬ରେ ୧୧,୩୭୯ ଜଣ କୃଷକ ଆତ୍ମହତ୍ୟା କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୮ରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡିଗଡ଼,ଦାମନ ଡିଉ, ପୁଡୁଚେରୀ, ଦିଲ୍ଲୀ, ଲକ୍ଷଦ୍ୱୀପ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜଣେ ମଧ୍ୟ କୃଷକ ଆତ୍ମହତ୍ୟା କରିନାହାନ୍ତି ।

୨୦୧୮ରେ ଭାରତରେ ମୋଟ ୧,୩୪,୫୧୬ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୧୦,୩୪୯ ଜଣ କୃଷକ ଓ କୃଷି ସଂପର୍କିତ ଲୋକ ଆତ୍ମହତ୍ୟା । ଅର୍ଥାତ ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ ମାତ୍ର ୭.୭ ପ୍ରତିଶତ ହେଉଛି କୃଷକ ଓ କୃଷି ସଂପର୍କିତ ଲୋକ ଆତ୍ମହତ୍ୟା ଘଟଣା ।

ସମ୍ବନ୍ଧିତ ଖବର