ନୂଆଦିଲ୍ଲୀ: କରୋନା ଭାଇରସ୍‌ ଓ କରୋନା ଟିକା ସଂକ୍ରାନ୍ତରେ ସକାରାତ୍ମକ କଥା କହି ବିଶ୍ବବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ଟେଡ୍ରୋସ୍‌‌ ଆଧାନୋମ୍‌। ସେ କହିଛନ୍ତି କି ବିଶ୍ୱ ଉପରେ କରୋନା ମହାମାରୀ  ମାଡି ବସିଥିଲା ତାହା କବଳରୁ ମୁକ୍ତ ହେବାର ବାଟ ଦିଶୁ ନଥିଲା। ମାତ୍ର ସମଗ୍ର ବିଶ୍ବରେ କରୋନା ଟିକାର ପରୀକ୍ଷଣରେ ସଫଳତା ଏବେ ବିଶ୍ୱବାସୀଙ୍କୁ କରୋନା ମୁକ୍ତ କରିବ ବୋଲି ଆଶା କରାଯାଉଛି । ଏବେ ଏକ କରୋନାମୁକ୍ତ ବିଶ୍ବର ସ୍ବପ୍ନ ଦେଖିହେବ ବୋଲି ସେ କହିଛନ୍ତି। ହେଲେ ଟିକା ବିତରଣ କ୍ଷେତ୍ରରେ ଧନୀ ଓ ଗରିବ ଦେଶମାନଙ୍କ ଭିତରେ କିଛି ପାତର ଅନ୍ତର ନ କରାଯିବାକୁ ଟେଡ୍ରୋସ୍‌ ଅନୁରୋଧ କରିଛନ୍ତି । ଟିକାକୁ ସମାନ ଭାବରେ ବିତରଣ କରାଗଲେ ହିଁ ବିଶ୍ୱ କରୋନାରୁ ମୁକ୍ତି ପାଇବ ବୋଲି ସେ କହିଛନ୍ତି।  କରୋନା ହଟିବା ପରେ ଦାରିଦ୍ର୍ୟ, କ୍ଷୁଧା, ଅସମାନତା ଓ ଜଳବାୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତପ୍ରକାଶ କରିଛନ୍ତି ‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌।

Advertisment

ସୂଚନା ଥାଉକି ବିଶ୍ୱରେ ୮ ଟି ସଂସ୍ଥା ଏବେ କରୋନା ଟିକା ବିକାଶ ଦିଗରେ କାମ କରୁଛନ୍ତି । ତାହା ମଧ୍ୟରୁ କିଛି ସଂସ୍ଥା ସେମାନଙ୍କ ଟିକାର ତୃତୀୟ ବା ଶେଷ ପର୍ଯ୍ୟାୟ ପରୀକ୍ଷଣ ସାରି ତା’ର ପ୍ରଭାବ ଉପରେ ମତ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଫାଇଜର ଟିକାକୁ ବ୍ରିଟେନ ଓ ବାହାରିନ୍ ଭଳି ରାଷ୍ଟ୍ର ଅନୁମତି ଦେଇ ସାରିଛନ୍ତି । ଏହି ଦୁଇ ଦେଶରେ ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଭାରତରେ ପ୍ରସ୍ତୁତ ହେଉଥିବା ୩ଟି କରୋନା ଟିକା ବାବଦରେ ପ୍ରଧାନମନ୍ତ୍ରୀ ଗତ ଦୁଇ ଦିନ ତଳେ ସମୀକ୍ଷା କରି ଖୁବ୍ ଶୀଘ୍ର ଦେଶବାସୀଙ୍କୁ ଟିକା ପ୍ରଦାନ କରିବାକୁ ଭରସା ଦେଇଛନ୍ତି । ଶୁକ୍ରବାର ଏ ନେଇ ପ୍ରଧାନମନ୍ତ୍ରୀ ବି ଏକ ସର୍ବଦଳୀୟ ବୈଠକ ଡାକି ଟିକା ବିତରଣ ଉପରେ ଦଳମାନଙ୍କର ମତ ନେଇଛନ୍ତି ।