ଶ୍ରୀଲଙ୍କା ଦୁର୍ଦ୍ଦଶା: ଚାକିରି ନାହିଁ, ଅର୍ଥ ନାହିଁ କି ଖାଦ୍ୟ ନାହିଁ, ଦେଶ ଛାଡ଼ିବାକୁ ପାସପୋର୍ଟ ଅପେକ୍ଷାରେ ଯୁବପିଢ଼ି

କଲମ୍ବୋ: ଗତ କିଛି ଦିନ ହେଲା ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଦେଶରେ ଏକ ବଡ଼ ଧରଣର ଅର୍ଥନୈତିକ ବିପର୍ଯ୍ୟୟକୁ ଡାକି ଆଣିଛି।  ଚାକିରି ମିଳିବା ତ ଦୂରର କଥା ଲୋକେ ଖାଦ୍ୟାଭାବ ଓ ଅର୍ଥାଭାବର ଶିକାର ହେବାକୁ ପଡିଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଲୋକଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରି ଦେଇଛି। ତେଣୁ ଯୁବପିଢ଼ି ଦେଶ ଛାଡ଼ିବାକୁ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି। କଲମ୍ବୋରେ ଥିବା ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡରୁ ଏହା ସ୍ପଷ୍ଟ ହୋଇଛି।

ବର୍ତ୍ତମାନ ଶ୍ରୀଲଙ୍କାର ମୋଟ ଲୋକ ସଂଖ୍ୟା ପ୍ରାୟ ୨ କୋଟି ୨୦ ଲକ୍ଷ। ଦୀର୍ଘ ୭ ଦଶନ୍ଧୀ ଧରି ଶ୍ରୀଲଙ୍କା ଯେଉଁମାନଙ୍କ ଦ୍ବାରା ଶାସିତ ହୋଇଛି କେହି ହେଲେ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିପାରିନାହାନ୍ତି। ଯଦି ଗତ ୫୦ ବର୍ଷର ଶ୍ରୀଲଙ୍କାର ରାଜନୈତିକ ସ୍ଥିତିକୁ ଦେଖାଯାଏ ତେବେ ଶ୍ରୀଲଙ୍କା ଫ୍ରିଡମ ଦଳ ପ୍ରାୟ ୨୪ ବର୍ଷ ଶାସନ ଗାଦି ଅକ୍ତିଆର କରିଛି। ଏହି ସମୟ ମଧ୍ୟରେ ଚନ୍ଦ୍ରିକା କୁମାର ତୁଙ୍ଗା, ମହିନ୍ଦ୍ରା ରାଜପକ୍ଷ ଓ ମୈଥ୍ରୀପଲା ସିରିସେନାଙ୍କ ଭଳି ବରିଷ୍ଠ ନେତା ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ତେବେ ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ମୈଥ୍ରୀପାଲ ସିରିସେନାଙ୍କୁ ପରାସ୍ତ କରି ଗୋଟାବାୟା ରାଜପକ୍ଷ ରା‌ଷ୍ଟ୍ରପତି ହେଲେ। କିନ୍ତୁ କେହି ହେଲେ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଲେନି। ଦିନକୁ ଦିନ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବଢ଼ିଗଲା। ଦେଶ ବିଦେଶୀ ଋଣ ଭାରରେ ବୁଡିଗଲା।

ସ୍ଥିତି ଏଭଳି ହେଲା ଯେ, ଲୋକଙ୍କୁ ଚାକିରି ମିଳିଲାନାହିଁ। ଖାଦ୍ୟ ଓ ଅର୍ଥ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଲା। ଶେଷରେ ଅର୍ଥାଭାବରୁ ବିଦ୍ୟୁତ ବି କାଟି ଦିଆଗଲା। ଏହା ଦ୍ବାରା ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେ। ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖାଦେଲା। ଶେଷରେ ଏହା ଉଗ୍ରରୂପ ନେଲା। ଗୋଟାବାୟା ରାଜପକ୍ଷ ସରକାର ଦୀର୍ଘଦିନ ଧରି ଶାସନ କରୁଥିବାରୁ ଏଭଳି ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହେଲା ବୋଲି ଅଭିଯୋଗ କରି ରାଜପକ୍ଷ ସରକାରଙ୍କ ବରଖାସ୍ତ ଦାବି କଲେ। ଫଳରେ ଗୋଟାବାୟା ରାଜପକ୍ଷ ଦେଶ ଛାଡ଼ି ସିଙ୍ଗାପୁର ପଳାଇ ଯାଇଥିବା ସେଠାକାର ଜନସାଧାରଣ କହୁଛନ୍ତି। ତେବେ ଗୋଟିଏ ଦେଶର ଅର୍ଥନୀତି ଦୁର୍ବଳ ହେଲେ ତାହାକୁ ସଜାଡିବା ଅତ୍ୟନ୍ତ କଷ୍ଟକର। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ଖାଦ୍ୟ ଓ ଅର୍ଥାଭାବରୁ ଲୋକେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

india today

କଲମ୍ବୋରେ ଥିବା ପାସପୋର୍ଟ କାର୍ଯ୍ୟାଳୟ ସାମନାରେ ଗତ କିଛି ଦିନ ହେଲା ପାସପୋର୍ଟ କରିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖାଦେଇଛି। ଆଉ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ-ଯୁବତୀ ଅଛନ୍ତି। ସେମାନେ କହିଛନ୍ତି ଯେ, ଏଠାରେ ଚାକିରି ନାହିଁ, ଆୟ ନାହିଁ, ଖାଦ୍ୟ ଅଭାବ ଦେଖାଦେଇଛି। ତେଣୁ ଏହି ଦେଶରେ ବଂଚିବା ଅସମ୍ଭବ। ଏଠାରେ ଭବିଷ୍ୟତ ବୋଲି କିଛି ନାହିଁ। ତେଣୁ ଯେ କୌଣସି ମଧ୍ୟପ୍ରାଚ୍ୟ ଦେଶକୁ ଚାଲିଯିବାକୁ ଚାହୁଁଛୁ। ତେଣୁ ପାସପୋର୍ଟକୁ ଅପେକ୍ଷା କରିଛୁ। ଏଣେ କାମଚଳା ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ କହିଛନ୍ତି ଯେ, ଶ୍ରୀଲଙ୍କାରୁ ଅର୍ଥନୈତିକ ଦୁର୍ଦ୍ଦଶାକୁ ମୁକୁଳାଇବାକୁ ଆଇଏମଏଫ ସହ ଅନ୍ୟ କେତେକ ଦେଶ ସହ କଥାବାର୍ତ୍ତା ଚାଲିଛି। ସାର ଯୋଗାଣ ଓ ରନ୍ଧନ ଗ୍ୟାସ ଯୋଗାଣକୁ ସ୍ବାଭାବିକ କରିବାକୁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର