ନୂଆଦିଲ୍ଲୀ: ଫରେନ କନ୍ଟ୍ରିବ୍ୟୁସନ୍ ଲେଗୁଲେସନ୍ ଆକ୍ଟ,୨୦୧୦ରେ ସଂଶୋଧନ କରି ବିଦେଶୀ ଅନୁଦାନ ପ୍ରାପ୍ତ ଏନଜିଓ ଏବଂ ସଙ୍ଗଠନଗୁଡିକ ପାଇଁ କଠୋର ନିୟମ ଲାଗୁ ହେବା ପରେ ପରେ ନିକଟରେ ଫରେନ୍ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ ରୁଲ୍ସ,୨୦୧୧କୁ ମଧ୍ୟ ସଂଶୋଧିତ କରି ନିୟମ କଡ଼ା କରିଛନ୍ତି କେନ୍ଦ୍ର ସରକାର।
ନିୟମ ଅନୁଯାୟୀ ଫରେନ କନ୍ଟ୍ରିବ୍ୟୁସନ୍ ଲେଗୁଲେସନ୍ ଆକ୍ଟ, ୨୦୧୦ଅଧିନରେ ପଞ୍ଜିକରଣ କରିବାକୁ ସଂସ୍ଥାଗୁଡ଼ିକୁ ଅତି କମ୍ରେ ୩ଟି ଆର୍ଥିକ ବର୍ଷ ଧରି ବାର୍ଷିକ ୧୫ ଲକ୍ଷ ଲେଖାଏ ଟଙ୍କା ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି ବୋଲି ଦେଖାଇବାକୁ ହେବ। ତାହାଲେ ଯାଇ ସେମାନେ ପଞ୍ଜିକରଣ ପାଇଁ ଯୋଗ୍ୟ ବିବେଚିତ ହେବେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନୂଆ ନିୟମଗୁଡ଼ିକରେ ନିୟମ-୩ରେ ଏକ ଉପ-ନିୟମ ଯୋଡ଼ି ହୋଇଛି। ଉପ-ନିୟମ ୧ ର ଧାରା (ଭି) ଏବଂ (ଭିଆଇ)ରେ ଦର୍ଶାଯାଇଛି ଯେ କୃଷକ, ଶ୍ରମିକ, ଛାତ୍ର, ଜାତି ଏବଂ ସମ୍ପ୍ରଦାୟ ଭିତ୍ତିକ ସଂଗଠନଗୁଡ଼ିକ ସିଧାସଳଖ ଭାବେ ରାଜନୈତିକ କାର୍ଯ୍ୟ ନକରି ମଧ୍ୟ ରାଜନୈତିକ ଦଳ ସହ ମିଶି ଧାରଣା, ରାସ୍ତାରୋକ ଆଦି କାର୍ଯ୍ୟରେ ସଂପୃକ୍ତ ଥିଲେ ମଧ୍ୟ ସେମାନେ ବୈଦେଶିକ ଅବଦାନ ଗ୍ରହଣ କରିବାକୁ ଅଯୋଗ୍ୟ ବିବେଚିତ ହେବେ।
ପୂର୍ବରୁ ପଞ୍ଜିକରଣ ପାଇଁ ୩୦୦୦ ଟଙ୍କା ଲାଗୁଥିବା ବେଳେ ଏବେ ନୂଆ ନିୟମରେ ତାହାକୁ ବୃଦ୍ଧି କରାଯାଇ ୫୦୦୦ ଟଙ୍କା କରାଯାଇଛି। ପୂର୍ବ ଅନୁମତି ପାଇଁ ୫୦୦୦ ଜାଗାରେ ୧୦୦୦୦ କରାଯାଇଛି। କେବଳ ସେତିକି ନୁହେଁ, ପଞ୍ଜିକରଣର ନବୀକରଣ ପାଇଁ ୫୦୦୦ ଟଙ୍କା ଦେବାକୁ ହେବ ବୋଲି ଦର୍ଶାଯାଇଛି।
ପଞ୍ଜିକରଣର ନବୀକରଣ ପାଇଁ ଯଦି କୌଣସି ଆବେଦନ ନହୁଏ କିମ୍ବା ପଞ୍ଜିକରଣ ପ୍ରମାଣପତ୍ରର ବୈଧତା ସମାପ୍ତ ହେବା ପୂର୍ବରୁ ଆବଶ୍ୟକ ଦେୟ ସହିତ ଆବେଦନ ହୁଏ ନାହିଁ ତେବେ ପଞ୍ଜିକୃତ ତାରିଖରୁ ନେଇ ୫ ବର୍ଷ ମଧ୍ୟରେ ସଂସ୍ଥାର ବୈଧ୍ୟତା ଶେଷ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-33.jpg)