ମଣିପୁର ଆତଙ୍କବାଦୀ ଆକ୍ରମଣ ପଛରେ କୌଣସି ବିଦେଶୀ ଶକ୍ତିଙ୍କ ହାତ ନାହିଁ : ଗୃହ ମନ୍ତ୍ରାଳୟ  

ନୂଆଦିଲ୍ଲୀ : ମଣିପୁରର ଚୁରାଚାନ୍ଦପୁରରେ ନଭେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କୌଣସି ବିଦେଶୀ ଶକ୍ତିଙ୍କ ହାତ ଥିବା ସୂଚନା ମିଳିନାହିଁ ବୋଲି ସରକାର କହିଛନ୍ତି ।

ଆଜି ଲୋକସଭାରେ ଏକ ପ୍ରଶ୍ନ ଉତ୍ତର ଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ଘଟଣା ପଛରେ କୌଣସି ବିଦେଶୀ ଶକ୍ତିଙ୍କ ହାତ ଥିବାର କୌଣସି ପ୍ରମାଣ ମିଳି ନାହିଁ । ତେବେ ଏନଆଇଏ ଏହି ଘଟଣାର ତଦନ୍ତ ଚଳାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ମଣିପୁରରେ ନଭେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ସମେତ ମୋଟ ୭ ଜଣ ନିହତ ହୋଇଥିଲେ ।  ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ଏହି ଦୁଇ ସଂଗଠନ ପଡ଼ୋଶୀ ମିଆଁମାରରେ ନିଜର ତାଲିମ ଶିବିର ଚଳାଇଥିବା କୁହାଯାଉଛି । ଏହି ସଂଗଠନ ଚୀନଠାରୁ ଆର୍ଥିକ ଓ ସାମରିକ ସହାୟତା ପ୍ରାପ୍ତ କରୁଥିବା ସଂଦେହ କରାଯାଉଛି ।

 

 

ସମ୍ବନ୍ଧିତ ଖବର