ଗଣତନ୍ତ୍ର ଦିବସ ସମାରୋହରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ

ନୂଆଦିଲ୍ଲୀ : ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି  ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗଦେବେ ନାହିଁ ।

ଏହି ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା  । କିନ୍ତୁ ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ବ୍ରିଟେନରେ କୋରନା ଭୁତାଣୁ ମାଡ଼ିଚାଲିଥିବାରୁ ଜନସନ ନିଜର ଗସ୍ତ ବାତିଲ କରିଥିଲେ ।

ବ୍ରିଟେନରେ ଏବେ କରୋନା ଭୁତାଣୁର ନୂଆ ପ୍ରକାର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଥିଲା ।

ପରେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖିଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏବେ ତାଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଛି ।

 

ସମ୍ବନ୍ଧିତ ଖବର