ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଆସିବା ପାଇଁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ଦିଆଯାଇ ନାହିଁ: ସୂତ୍ର

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସକୁ ଅତିଥି ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ପ୍ରକାଶ ପାଇଥିଲା। ମାତ୍ର ଗତ ଦୁଇ ଦିନ ତଳେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସେପରି କାର୍ଯ୍ୟକ୍ରମ ନ ଥିବା କୁହାଗଲା। ଏହାପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଭାରତର ନିମନ୍ତ୍ରଣ କାହିଁକି ଆମେରିକା ରାଷ୍ଟ୍ରପତି ଗ୍ରହଣ କରିଲେ ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏହାପରେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ଟ୍ରମ୍ଫଙ୍କର କାର୍ଯ୍ୟବ୍ୟସ୍ତତା ହେତୁ ଭାରତଗସ୍ତ ସମ୍ଭବ ନୁହେଁ ବୋଲି ଦର୍ଶାଗଲା। ବିଶେଷ ସୂତ୍ରରୁ ଜଣାଯାଇଛି, ଭାରତ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୌଣସି ପ୍ରକାରର ଲିଖିତ କିମ୍ବା ଆନୁଷ୍ଠାନିକ ନିମନ୍ତ୍ରଣ ଦିଆଯାଇ ନାହିଁ।

ଭାରତର ସାଧାରଣତନ୍ତ୍ର ଦିବସରେ ଆତିଥ୍ୟ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ ବି କାର୍ଯ୍ୟବ୍ୟସ୍ତତା ହେତୁ ଟ୍ରମ୍ପ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ହ୍ଵାଇଟ୍‌ ହାଉସ୍‌ର ମୁଖପାତ୍ର କହିବା ପରେ ସୂତ୍ରରୁ ଏହି ସ୍ପଷ୍ଟୀକରଣ ମିଳିଛି।

ସୂତ୍ର ପକ୍ଷରୁ ଆହୁରି ମନେପକାଇ ଦିଆଯାଇଛି ଯେ ୨୦୧୭ ମସିହା ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାଳରେ ଟ୍ରମ୍ପଙ୍କୁ ନିଜ ସୁବିଧା ଅନୁସାରେ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ମୋଦି।

ଏହା ଦୁଇ ଦେଶ ମଧ୍ୟରେ ଏକ ସାଧାରଣ କଥୋପକଥନ ବେଳେ ଏହି ପ୍ରସଙ୍ଗ ଉଠିଥିଲା । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କୁ ନିମନ୍ତ୍ରଣ ଦେଇ ନାହାନ୍ତି ବୋଲି ସୂତ୍ର ପକ୍ଷରୁ ପ୍ରକାଶ ପାଇଛି।

ଏହାବ୍ୟତୀତ ଦୁଇ  ଦେଶର ନେତା ଆର୍ଜେଣ୍ଟିନାରେ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ । ଆଶା କରାଯାଉଛି ଯେ ଏହି ଦୁଇ ନେତା ସେଠାରେ ଭେଟ ହୋଇ ଦ୍ୱିପାକ୍ଷିକ ସଂପର୍କ ବିଷୟରେ କଥା ହୋଇପାରନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଟ୍ରମ୍ପ୍‌ ଭାରତ ଆସିବାକୁ ପ୍ରତ୍ୟାଖ୍ୟାନ କରିଥିବା ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ସମାଲୋଚନା କରାଯାଇଛି।

 

 

 

ସମ୍ବନ୍ଧିତ ଖବର