ଶୀତ ଦିନରେ ଟ୍ରେନରେ ଯାତ୍ରା କରିବା ହୋଇପାରେ ମହଙ୍ଗା:ମାଗଣାରେ ମିଳିବନି କମ୍ବଳ, ବେଡ଼ସିଟ

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ପରଠାରୁ ଶୀତ ଋତୁ ଆସିବା ସହିତ ଟ୍ରେନରେ ବନ୍ଦ ହୋଇଯାଇଥିବା ବିଛଣା (ବେଡ୍‌ରୋଲ)ର ଚାହିଦା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରେଳ ପୂର୍ବ ଭଳି ଟ୍ରେନରେ ବେଡରୋଲ ସୁବିଧା ଆରମ୍ଭ କରିନାହିଁ। ତେବେ ଏହି ପ୍ରସଙ୍ଗରେ ରେଳବାଇ କହିଛି ଯେ ବେଡ୍‌ରୋଲ ସୁବିଧା ଦେବା ନେଇ ସମୀକ୍ଷା କରାଯାଉଛି। ଏବାବଦରେ ଶୀଘ୍ର ନିଷ୍ପତ୍ତି ନିଆଯିବ।

ତେବେ, ଦିଲ୍ଲୀ ସମେତ ଅନେକ ରେଳ ମଣ୍ଡଳ ଟ୍ରେନରେ ଅନ୍-ଡିମାଣ୍ଡ ଡିସପୋଜେବଲ୍ ଟ୍ରାଭେଲ୍ ବେଡ୍ରୋଲ୍ କିଟ୍ ଯୋଗାଇବାକୁ ଯାଉଛନ୍ତି। ଏଥିପାଇଁ ଯାତ୍ରୀମାନଙ୍କୁ ଅତିରିକ୍ତ ୩୦୦ ଟଙ୍କା ଦେବାକୁ ପଡିବ | ତେବେ ଯାତ୍ରୀମାନଙ୍କ ସୁବିଧା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କିଟ ବହୁତ ଶସ୍ତା ରହିଛି | ୩୦୦ ଟଙ୍କା କିଟ୍ ରେ ଯାତ୍ରୀମାନେ ଏକ କମ୍ବଳ(ନନ ଓ଼ଭେନ), ଏକ ବେଡସିଟ୍, ଏକ ତକିଆ, ତକିଆ କଭର, ଡିସପୋଜେବଲ୍ ବ୍ୟାଗ୍, ଟୁଥପେଷ୍ଟ, ଟୁଥ୍ ବ୍ରଶ୍, ତେଲ ଓ ପାନିଆ ପାଇବେ | କେବଳ ଏତିକି ନୁହେଁ ବରଂ ସାନିଟାଇଜର୍, ପେପରସୋପ୍ ଏବଂ ଟିସୁ ପେପର ମଧ୍ୟ ଉପଲବ୍ଧ ହେବ |

ସେହିପରି ୧୫୦ ଟଙ୍କା ମୂଲ୍ୟର ଅନ୍ୟ ଏକ କିଟରେ ଯାତ୍ରୀମାନେ କେବଳ ଗୋଟିଏ କମ୍ବଳ ପାଇବେ | ଅନ୍ୟପକ୍ଷରେ ୩୦ ଟଙ୍କିଆ କିଟରେ ଯାତ୍ରୀମାନେ ଟୁଥ୍ ପେଷ୍ଟ, ଟୁଥ୍ ବ୍ରଶ୍, ତେଲ, ପାନିଆ, ସାନିଟାଇଜର ଏବଂ ଟିସୁ ପେପର ପାଇବେ | କରୋନା ମହାମାରୀ ପୂର୍ବରୁ ଯାତ୍ରୀଙ୍କୁ ବେଡ୍‌ରୋଲ ଯୋଗାଇବାର ସୁବିଧା ଉପଲବ୍ଧ ଥିଲା | କିନ୍ତୁ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ରେଳବାଇ ବେଡ୍‌ରୋଲ ଯୋଗାଇବା ବନ୍ଦ କରିଦେଇଥିଲା ଏବଂ ଯାତ୍ରୀମାନଙ୍କୁ ଘରୁ ଆଣିବାକୁ କୁହାଯାଇଥିଲା |

ସମ୍ବନ୍ଧିତ ଖବର