ଗତ ୧୪ ଦିନରେ ଦେଶର ୨୫ଟି ଜିଲ୍ଲାରେ କୌଣସି ନୂଆ ମାମଲା ଜଣାପଡ଼ିନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୯୧୫୨ ଓ ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ପାଇଛି । ଦେଶରେ ୮୫୪ ଜଣ ଏହି ଭୁତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ତେବେ ଗତ ୧୪ ଦିନରେ ଦେଶର ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ କୌଣସି ମାମଲା ଜଣାପଡ଼ିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ କୌଣସି କଟକଣା ଜାରି କରାଯାଇନାହିଁ । ଅନ୍ତଃରାଜ୍ୟ ଟ୍ରକ ପରିବହନ ଜାରି ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖ୍ୟ ରମଣ ଆର.ଗଙ୍ଗାଖେଡକର କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ମୋଟ ୨,୦୬,୨୧୨ଟି ନମୁନା ପରୀକ୍ଷଣ କରାଯାଇଛି । ଆଗାମୀ ୬ ସପ୍ତାହରେ ପରୀକ୍ଷା କରିବା ପାଇଁ ଦେଶରେ ଯଥେଷ୍ଟ ପରିମାଣରେ ଟେଷ୍ଟିଂ କିଟ ମହଜୁଦ ରହିଛି । ଆସନ୍ତା ୧୫ ତାରିଖରେ ଚୀନରୁ ପ୍ରଥମ ଦଫା ଟେଷ୍ଟିଂ କିଟ ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର