ବେଙ୍ଗାଲୁରୁ ଇଦଗା ପଡ଼ିଆରେ ଗଣେଶ ଉତ୍ସବକୁ ସୁପ୍ରିମ କୋର୍ଟଙ୍କ ନା

ନୂଆଦିଲ୍ଲୀ : ବେଙ୍ଗାଲୁରୁର ଇଦଗା ପଡ଼ିଆରେ ଗଣେଶ ଉତ୍ସବ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ପଡ଼ିଆରେ ଗଣେଶ ଉତ୍ସବ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବାବେଳେ ସ୍ଥିତାବସ୍ଥା ଲାଗୁ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଏ.ଏସ.ଓକା ଓ ଏମଏମ ସୁନ୍ଦ୍ରେଶଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଏହା ପୂର୍ବରୁ ଏହି ମାମଲାକୁ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରୁଥିବାବେଳେ ଦୁଇ ବିଚାରପତିଙ୍କ ମତ ମେଳ ନ ଖାଇବାରୁ ତାହାକୁ ୩ ଜଣିଆ ବେଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା ।

ବେଙ୍ଗାଲୁରୁର ଇଦଗା ପଡ଼ିଆରେ ଗଣେଶ ଉତ୍ସବକୁ ସରକାର ଅନୁମତି ଦେବା ପରେ କର୍ଣ୍ଣାଟକ ଓ୍ବାକଫ ବୋର୍ଡ ତାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଗତ ୨୬ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଇଦଗା ପଡ଼ିଆରେ ଗଣେଶ ଉତ୍ସବ ଆୟୋଜନକୁ ଅନୁମତି ଦେଇଥିଲେ । ଏହି ରାୟ ବିରୋଧରେ ଓ୍ବାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଓ୍ବାକଫ ବୋର୍ଡ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଲଢୁଥିଲେ । ଏହି ପଡ଼ିଆରେ ଗଣେଶ ଉତ୍ସବ ପାଇଁ ଅନୁମତି ଦେଲେ ଅନାବଶ୍ୟକ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବ, କାରଣ ଏହି ଜମିକୁ ମୁସଲିମମାନେ ଗତ ଅନେକ ବର୍ଷ ହେଲା ବ୍ୟବହାର କରିଆସୁଛନ୍ତି ବୋଲି ସେ ନିଜର ଯୁକ୍ତିରେ ଦର୍ଶାଇଥିଲେ ।

 

 

ସମ୍ବନ୍ଧିତ ଖବର