ପରମବୀର ସିଂହ କେଉଁଠି ଲୁଚିଛନ୍ତି ନ କହିବା ପର୍ଯ୍ୟନ୍ତ ଶୁଣାଣି ହେବ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହ କେଉଁଠି ଆତ୍ମଗୋପନ କରିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ ତାଙ୍କର ଆବେଦନ ଶୁଣାଣି କରାଯିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ପଳାତକ ଘୋଷିତ ପରମବୀର ସିଂହ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଅପରାଧିକ ମାମଲାଜନିତ ଗିରଫଦାରି ଏଡ଼ାଇବା ଲାଗି ସୁରକ୍ଷା ଲୋଡ଼ି ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ।

କିନ୍ତୁ, ପରମବୀର ସିଂହ ଭାରତରେ ଅଛନ୍ତି ନା, ବିଦେଶରେ ଆତ୍ମଗୋପନ କରିଛନ୍ତି? ନିଜର ସାମ୍ପ୍ରତିକ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ନ ଦେଲେ ତାଙ୍କର ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ମହାରାଷ୍ଟ୍ରରେ ପରମବୀର ସିଂହଙ୍କ ନାମରେ ଅନ୍ୟୂନ ୫ଟି ଅପରାଧିକ ମାମଲା ରୁଜୁ ହୋଇଛି ହେବା ସହ  ଜର୍ଜଗାଓଁ ବଟି ଆଦାୟ ମାମଲାରେ ଏକାଧିକ ଜାମିନରହିତ ପର୍‌ୱାନା ଜାରି ହୋଇଛି।

Image Courtesy of The New Indian Express

ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଲେ, ପରମବୀର ସିଂହ କାହାନ୍ତି? ସେ ତଦନ୍ତରେ ଯୋଗ ଦେଇ ନାହାନ୍ତି, ସେ କେଉଁଠି ଅଛନ୍ତି ଆମେ ଜାଣୁନା। ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଏତାଦୃଶ ଆଚରଣ ତାଙ୍କର ବିଶ୍ବସନୀୟତା ପ୍ରତି ଚିନ୍ତା ଉଦ୍ରେକ କରାଯାଇଛି।

ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌ କହିଲେ, ଆପଣ ଯଦି ବିଦେଶରେ ବସି ଅଦାଲତରେ ଆବେଦନ କରୁଥିବେ। ତେବେ ଅଦାଲତ ଆପଣଙ୍କ ସପକ୍ଷରେ ରାୟ ଦେଲେ ଯାଇ ଫେରିବେ। ଏମିତି ହୋଇଥାଇପାରେ।

ପରମବୀର ସିଂହଙ୍କ ଠାରୁ ନିର୍ଦେଶ ପାଇବା ଲାଗି ତାଙ୍କ ଓକିଲ ଖଣ୍ଡପୀଠଙ୍କୁ ସମୟ ମାଗିଛନ୍ତି। ତେଣୁ, ପରମବୀର ସିଂହଙ୍କ ଆବେଦନର ଶୁଣାଣି ନଭେମ୍ବର ୨୨ରେ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର