ଅକ୍ଟୋବର ୧ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଦିଲ୍ଲୀକୁ ଭାରୀଯାନ ମନା

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣକୁ କମାଇବାକୁ ଦିଲ୍ଲୀ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।  ଆସନ୍ତା ଅକ୍ଟୋବର ୧ରୁ ଆସନ୍ତା ବର୍ଷ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଦିଲ୍ଲୀକୁ ବାହାର ରାଜ୍ୟରୁ ମଧ୍ୟମ ଓ ଓଜନିଆ ଯାନ ପ୍ରବେଶକୁ ନିଷିଦ୍ଧ କରିଛନ୍ତି । ଏହାଛଡ଼ା ଏହି ସମୟରେ ଦିଲ୍ଲୀକୁ କେବଳ ବିଏସ-୬ ଭାରିଆଣ୍ଟ ଯାନ ପ୍ରବେଶ କରିପାରିବ । ଏସଂପର୍କରେ ଦିଲ୍ଲୀ ସରକାର ପଡ଼ୋଶୀ ଉତ୍ତରପ୍ରଦେଶ ଓ ହରିୟାଣା ସରକାରଙ୍କୁ ଚିଠି ଲେଖି କେବଳ ବିଏସ-୬ ପ୍ରଦୂଷଣ ମାନଦଣ୍ଡ ପାଳନ କରୁଥିବା ଯାନକୁ ପ୍ରବେଶ ଅଧିକାର ପାଇଁ ଅନୁରୋଧ କରିଛନ୍ତି ।

ଦିଲ୍ଲୀର ପରିବହନ କମିସନର ଏପି ମିଶ୍ର ଏହି ପତ୍ର ଲେଖି ଜଣାଇଛନ୍ତି ଯେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି । ଏହାକୁ ନେଇ ଖୋଦ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଉଭୟ ସୁପ୍ରିମକୋର୍ଟ ଓ ସିଏକ୍ୟୁଏମ ଦିଲ୍ଲୀର ପ୍ରଦୂଷଣ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବାୟୁ ପ୍ରଦୂଷଣ କମାଇବାକୁ ଯାନବାହନ ଉପରେ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରତିବର୍ଷ ଦିଲ୍ଲୀରେ ଶୀତଋତୁ ବିଶେଷକରି ଅକ୍ଟୋବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଦୂଷଣ ସ୍ଥିତି ସବୁଠାରୁ ଖରାପ ସ୍ଥିତିରେ ଥାଏ । ଏହାର କାରଣ ହେଉଛି ପଡ଼ୋଶୀ ହରିୟାଣା ଓ ପଂଜାବରେ ନଡ଼ା ଜାଳିବା ଓ ଯାନବାହନର ବହୁଳତା ।

ସମ୍ବନ୍ଧିତ ଖବର