ଜୀବନର ସବୁ ଆଶା ହରାଇଛି, ଜେଲ୍‌ରେ ମରିବା ବରଂ ଭଲ: ଅଦାଲତରେ କାନ୍ଦି କାନ୍ଦି କହିଲେ ‘ଜେଟ୍‌ ଏୟାର୍‌ୱେଜ୍‌’ର ପ୍ରତିଷ୍ଠାତା

ମୁମ୍ବାଇ: ଜୀବନର ସବୁ ଆଶା ହରାଇଛି ତେଣୁ, ଏମିତି ଅବସ୍ଥାରେ ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଶ୍ରେୟସ୍କର ବୋଲି ଶନିବାର ଦିନ ସ୍ବତନ୍ତ୍ର ଅଦାଲତରେ ହାତଯୋଡ଼ି କହିଛନ୍ତି ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋଏଲ୍‌।

କାନାରା ବ୍ୟାଙ୍କ୍‌ରୁ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ନରେଶ ଗୋଏଲ୍‌ ଜାମିନ ପାଇଁ କରିଥିବା ଆବେଦନର ଶୁଣାଣି ବେଳେଏକଥା କହିଛନ୍ତି। ଲୁହ ଛଳଛଳ ଆଖିରେ ସେ କହିଲେ ଯେ, ସ୍ତ୍ରୀ ଅନୀତାଙ୍କ ଚିନ୍ତା ତାଙ୍କୁ ଉଦ୍‌ବିଗ୍ନ କରୁଛି। କର୍କଟ ରୋଗରେ ପୀଡ଼ିତା ଅନୀତା ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଲେଣି।

ସୂଚନାଯୋଗ୍ୟ, ବ୍ୟାଙ୍କ୍‌ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଗୋଏଲ୍‌ଙ୍କୁ ଗିରଫ କରିଥିଲା। ସମ୍ପ୍ରତି ସେ ଅର୍ଥର୍‌ ରୋଡ୍‌ ଜେଲ୍‌ରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Image Courtesy of India Today

ସ୍ପେସାଲ୍‌ ଜଜ୍‌ ଏମ୍‌. ଜି. ଦେଶପାଣ୍ଡେଙ୍କ ନିକଟରେ ଗୋଏଲ୍‌ ଜାମିନ ଆବେଦନ ଫାଇଲ୍‌ କରିଥିଲେ। ତେଣୁ, ଶନିବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଆବେଦର ଶୁଣାଣି ଚାଲିଥିବା ବ‌େଳେ ନିଜର କିଛି ବ୍ୟକ୍ତିଗତ କଥା କହିବାକୁ ସେ ଅନୁରୋଧ କରିବାରୁ ବିଚାରପତି ତାଙ୍କୁ କହିବାକୁ ଅନୁମତି ଦେଇଥିଲେ।

ଅଦାଲତଙ୍କ ‘ରୋଜ୍‌ନାମା’ ବା ଦୈନିକ ଶୁଣାଣି ରେକର୍ଡରେ ଉଲ୍ଲେଖ ଅଛି, ଗୋଟାପଣ ଥରୁଥିବା ଗୋଏଲ୍‌ ଯୋଡ଼ହସ୍ତ କରି କହିଲେ ଯେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଖରାପ ହୋଇଗଲାଣି। ବଡ଼ ସଙ୍କଟଜନକ ଅବସ୍ଥାରେ ରହିଛି। ସେପଟେ, ସ୍ତ୍ରୀ ଶଯ୍ୟାଶାୟୀ ଓ ଏକମାତ୍ର ଝିଅ ବି ଅସୁସ୍ଥ।

ପରିଶେଷରେ ତାଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟାବସ୍ଥାର ଉପଯୁକ୍ତ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବା ଲାଗି ବିଚାରପତି ତାଙ୍କ ଓକିଲଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର