ଓ୍ଵାସିଂଟନ୍: ଚୀନ୍ ଠାରୁ ଆଣିଥିବା ଋଣ ପରିଶୋଧ କରିବାକୁ ପାକିସ୍ତାନ ଯେମିତି ଆନ୍ତର୍ଜାତିକ ଆର୍ଥିକ ପାଣ୍ଠିରୁ କିଛି ଋଣ ନ ପାଏ ସେଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସବୁମତେ ଉଦ୍ୟମ ଚଳାଇଥିବା କଥା ବୁଧବାର ଦିନ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି।
ଚୀନ୍ ଠାରୁ ଆଣିଥିବା ଋଣ ପରିଶୋଧ କରିବାକୁ ପାକିସ୍ତାନ ଆନ୍ତର୍ଜାତିକ ଆର୍ଥିକ ପାଣ୍ଠିରୁ (ଆଇଏମ୍ଏଫ୍) ୮ ବିଲିୟନ୍ ଆମେରିକୀୟ ଡଲାର୍ ଆବଶ୍ୟକ କରୁଛି। ଚୀନ୍ର ଠାରୁ କରିଥିବା ଋଣ ଭୀଷଣ ବାଲାନ୍ସ୍-ଅଫ୍-ପେମେଣ୍ଟ୍ ସଙ୍କଟ ସୃଷ୍ଟି କରି ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିଦେବାକୁ ବସିଛି।
ନିକଟ ଅତୀତରେ ଆଇଏମ୍ଏଫ୍ ଏବଂ ପାକିସ୍ତାନ ମଧ୍ୟରେ ବସିଥିବା ବୈଠକ ଅମୀମାଂଶିତ ରହିଥିଲା।
ଚୀନ୍ ଠାରୁ କରିଥିବା ବିପୁଳ ଋଣ ହିଁ ପାକିସ୍ତାନର ଆର୍ଥିକ ଚାଲେଞ୍ଜ୍ ପାଇଁ ଦାୟୀ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଅନୁଭବ କରୁଛି।
ଅଣ୍ଡର୍ ସେକ୍ରେଟାରି ଅଫ୍ ଟ୍ରେଜରି ଫର୍ ଇଣ୍ଟର୍ନେସ୍ନାଲ୍ ଆଫେୟାର୍ସ ଡେଭିଡ୍ ମାଲ୍ପାସ୍ କହିଛନ୍ତି ଯେ ଚୀନ୍ ଠାରୁ କରିଥିବା ଋଣ ପରିଶୋଧ କରିବା ନିମନ୍ତେ ପାକିସ୍ତାନକୁ ଆଇଏମ୍ଏଫ୍ କିଛି ଅର୍ଥ ଦେଉଛି କି, ନାହିଁ ତାହା ଅନୁଶୀଳନ କରି ଆମେ ସ୍ପଷ୍ଟ କରୁଛୁ।