ନୂଆଦିଲ୍ଲୀ : ସୈନ୍ୟ ପ୍ରତ୍ୟାହାର କଥା ଘୋଷଣା କରିଥିଲେ ବି ୟୁକ୍ରେନ ଉପରୁ ଯୁଦ୍ଧର କଳାବାଦଲ ହଟୁନାହିଁ । କାରଣ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଏ ନେଇ ଋଷିଆ ଉପରେ ଭରସା କରିପାରୁନାହାନ୍ତି । ଫଳରେ ସ୍ଥିତି ଏବେ ବି ଜଟିଳ ହୋଇ ରହିଛି । ତେବେ ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବାର ତୁରନ୍ତ କୌଣସି ଯୋଜନା ନାହିଁ ବୋଲି ଭାରତ ସରକାର ସ୍ବଷ୍ଟ କରିଦେଇଛନ୍ତି ।

Advertisment

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବାର ତୁରନ୍ତ କୌଣସି ଯୋଜନା ନାହିଁ, ଏଣୁ ୟୁକ୍ରେନକୁ କୌଣସି ସ୍ବତନ୍ତ୍ର ଫ୍ଲାଇଟ ଚଳାଚଳ କରାଯାଇନାହିଁ । ତେବେ ୟୁକ୍ରେନ ଓ ଭାରତ ମଧ୍ୟରେ ଏୟାର ବବଲ ବନ୍ଦୋବସ୍ତ ମାଧ୍ୟମରେ ଚାଲିଥିବା ଫ୍ଲାଇଟଗୁଡିକର ସଂଖ୍ୟା ଉପରେ ଲଗାଯାଇଥିବା କଟକଣାକୁ ଉଠାଇ ନିଆଯାଇଛି । ଏଣୁ ସେଠାକୁ ଚାଲୁଥିବା ସିଡ୍ୟୁଲଡ୍ ଓ ଚାଟାର୍ଡ ଫ୍ଲାଇଟ୍ ସଂଖ୍ୟା ବଢାଇବାକୁ ବିମାନ କମ୍ପାନିମାନଙ୍କୁ ସେ ଅନୁରୋଧ କରିଛନ୍ତି ।

ୟୁକ୍ରେନ ସଂକଟ ସଂପର୍କରେ ସେ କହିଛନ୍ତି ଯେ ଭାରତ ଏହି ସମସ୍ୟାର ମିଲିଟାରୀ ସମାଧାନ ସପକ୍ଷରେ ନାହିଁ । କୂଟନୈତିକ ଆଲୋଚନା ମଧ୍ୟରେ ସମସ୍ୟାର ସମାଧାନ ସପକ୍ଷରେ ଭାରତ ରହିଛି ବୋଲି ବାଗଚି କହିଛନ୍ତି ।

ମସ୍କୋ ପକ୍ଷରୁ ବୁଧବାରଦିନ କୁହାଯାଇଥିଲା ଯେ କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ ଶେଷ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି । କିନ୍ତୁ ଏହାକୁ ଅସ୍ବୀକାର କରୁଛନ୍ତି ପାଶ୍ଚାତ୍ୟ ଦେଶ ।