ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦୋକାନ କରିଥିବା ଏବଂ ୟୁପିଏସସି ପରୀକ୍ଷା ଦେଇ ଆଇଏଏସ୍‌, ଆଇପିଏସ୍‌ ଭଳି ଚାକିରି କରିବାକୁ ଆଶା ରଖିଥିବା ଯୁବକଙ୍କ ସହିତ ମଜାଳିଆ କଥା ହୋଇଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ମୋଦୀ ଆଲୋଚନା ସମୟରେ ଜାଣିବାକୁ ପାଇଥିଲେ ଯୁବକ ଜଣକ ବଡ଼ ଅମଲା ହେବାକୁ ଆଶା ରଖିଛନ୍ତି। ସେ ନିଜେ ଦୋକାନ ଚଳାଉଥିବା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ କ’ଣ ପଢ଼ିଛନ୍ତି ସମେତ ଅନ୍ୟାନ୍ୟ ପ୍ରଶ୍ନ ପଚାରିଥିଲେ। ତାଙ୍କ ଦୋକାନକୁ ଦିନକୁ କେତେ ଲୋକ ଆସନ୍ତି ପ୍ରଧାନମନ୍ତ୍ରୀ ପଚାରିବାରୁ ସେ ଗଣିନାହାନ୍ତି ବୋଲି କହିଥିଲେ। ତେବେ ଦିନକୁ ୧୦ରୁ ୧୨ ଜଣ ଆସନ୍ତି ବୋଲି କହିଥିଲେ। ତାହା ପରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ମାସକୁ ସେ କେତେ ଅର୍ଥ ରୋଜଗାର କରନ୍ତି? ଏହାର ଉତ୍ତରରେ ଯୁବକ ଜଣକ କହିଥିଲେ ତାହା ମଧ୍ୟ ସେ ହିସାବ କରିନାହାନ୍ତି। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ହସିଥିଲେ। ତାହା ପରେ କହିଥିଲେ ଆଚ୍ଛା କହିବା ଦରକାର ନାହିଁ। ଚିନ୍ତା କରନାହିଁ। କେହି ଆୟକର ବାଲା ଆସିବେନି। ଏହାପରେ ଉଭୟ ମୋଦୀ ଏବଂ ଯୁବକ ହସିଥିଲେ।