ନାଗରିକତା ଆଇନ ଦ୍ୱାରା ଦେଶର କୌଣସି ନାଗରିକ ପ୍ରଭାବିତ ହେବେ ନାହିଁ, ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ନିଜର ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକ ପ୍ରଭାବିତ ହେବେ ନାହିଁ । ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏଣୁ ଗୁଜବରେ ବିଶ୍ୱାସ ନକରି ଶାନ୍ତି ବଜାୟ ରଖିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଜାତୀୟ ଜନସଂଖ୍ୟା ପଂଜୀକରଣ (ଏନଆରସି)କୁ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

ଗତକାଲି ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଏନ୍ଆରସି ଓ ନାଗରିକତା ସଂଶୋଧନ ଆଇନ ବିରୋଧରେ ବଡ଼ ଧରଣର ପ୍ରତିବାଦ ହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କର ଏହି ବୟାନ ଆସିଛି। ମୁଖ୍ୟମନ୍ତ୍ରୀ  କହିଛନ୍ତି,  ନାଗରିକତା ସଂଶୋଧନ ଆଇନକୁ ଏନଆରସି ସହ ଯୋଡ଼ା ନ ଯାଉ। କାରଣ ନାଗରିକତା ସଂଶୋଧନ ଆଇନ ସହ ଦେଶର ନାଗରିକଙ୍କର କୌଣସି ସଂପର୍କ ନାହିଁ, ଏହା ବିଦେଶୀଙ୍କ ଲାଗି ଉଦ୍ଦିଷ୍ଟ । ଏଥିସହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ  ଅନୁରୋଧ କରିଛନ୍ତି ନବୀନ ।

ସୂଚନାଯୋଗ୍ୟ ଯେ ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଗତ ୧୨ ତାରିଖରେ ଏ ସଂପର୍କରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ଆଇନ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର