ମିଳୁନି ଭାରତୀୟ ନାଗରିକତ୍ବ, ୧୮ ମାସରେ ଫେରି ଗଲେଣି ୧୫୦୦ ପାକିସ୍ତାନୀ ହିନ୍ଦୁ

ଜୟସାଲ୍‌ମେର୍‌: ଶରଣାର୍ଥୀମାନଙ୍କୁ ନାଗରିକତ୍ବ ପ୍ରଦାନ କରାଯିବାରେ କଠୋର ସରକାରୀ ନୀତିନିୟମ ଥିବାରୁ ବହୁସଂଖ୍ୟକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରିଯାଉଛନ୍ତି ବ‌ୋଲି ‘ସୀମନ୍ତ ଲୋକ ସଙ୍ଗଠନ’ କହିଛି।

୨୦୨୨ ଜାନୁଆରିରୁ ଜୁଲାଇ ମଧ୍ୟରେ ୩୩୪ଜଣ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରି ଯାଇଛନ୍ତି। ଅତ୍ୟାଚାରିତ ହେଉଥିବାରୁ ଉକ୍ତ ହିନ୍ଦୁମାନେ ପାକିସ୍ତାନରୁ ଭାରତକୁ ଚାଲିଆସିଥିଲେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

‘ସୀମନ୍ତ ଲୋକ ସଙ୍ଗଠନ’ର ଅଧ୍ୟକ୍ଷ ହିନ୍ଦୁ ସିଂହ ସୋଧା କହିଛନ୍ତି, ୨୦୨୧ରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୫୦୦ ପାକିସ୍ତାନୀ ହିନ୍ଦୁ ପାକିସ୍ତାନକୁ ଫେରିଯାଇଛନ୍ତି। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ଶିଥିଳତା ଯୋଗୁଁ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ହତୋତ୍ସାହ ହୋଇପଡ଼ିଛନ୍ତି। ଭାରତୀୟ ନାଗରିକତ୍ବ ପାଇବାକୁ ଥିବା ଔପଚାରିକତା ପରିପୂରଣ ପାଇଁ ଉକ୍ତ ହିନ୍ଦୁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଅର୍ଥ କିଂବା ସମ୍ବଳ ନାହିଁ। ତେଣୁ, ସେମାନେ ପାକିସ୍ତାନକୁ ଫେରିଯାଉଛନ୍ତି।

Image Courtesy of The Sentinel Assam

ସେ ଆହୁରି ମଧ୍ୟ କହିଛନ୍ତି, ଅର୍ଥ ବ୍ୟୟ କରି ମଧ୍ୟ ସେମାନେ ନାଗରିକତ୍ବ ପାଇବାର କୌଣସି ନିଶ୍ଚିତତା ନାହିଁ। ଭାରତୀୟ ନାଗରିକତ୍ବ ପାଇବା ଲାଗି ପ୍ରାୟ ୨୫୦୦୦ ପାକିସ୍ତାନୀ ହିନ୍ଦୁ ଚାହିଁ ୧୦/୧୫ ବର୍ଷ ହେବ ଏଠାରେ ଅପେକ୍ଷା କରି ବସିଛନ୍ତି।

୨୦୦୪ ଏବଂ ୨୦୦୫ରେ ଶିବିର ଆୟୋଜନ କରାଯାଇ ୧୩,୦୦୦ ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇଥିଲା। କିନ୍ତୁ, ଗତ ୫ ବର୍ଷ ମଧ୍ୟରେ ମାତ୍ର ୨୦୦୦ ପାକିସ୍ତାନୀ ହିନ୍ଦୁଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଛି।

ସେପଟେ, ପାକିସ୍ତାନୀ ଦୂତାବାସ ମଧ୍ୟ ଫି’ ବୃଦ୍ଧି କରିଥିବାରୁ ଶରଣାର୍ଥୀମାନେ ଦେଇପାରୁ ନାହାନ୍ତି। ପାସ୍‌ପୋର୍ଟ ‘ରିନ୍ୟୁଆଲ୍‌’ ଫି’ ବାବଦକୁ ଆଗରୁ ଟ. ୮୦୦୦/- ଥିବା ବେଳେ ଏବେ ତାହା ଟ. ୧୦୦୦୦/-କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର