ନୂଆଦିଲ୍ଲୀ: ଆବଶ୍ୟକ ସୂଚନା ଓ ଜ୍ଞାନର ଅଭାବ କାରଣରୁ ଅଧିକାଂଶ ନଦୀ ଜଳ ବିବାଦ ଏବେ ଉତ୍କଟ ରୂପ ଧାରଣ କରିଛି। ନଦୀ ଜଳକୁ ନେଇ ନିର୍ଦ୍ଦିଷ୍ଟ ଅଞ୍ଚଳ-ଅଞ୍ଚଳ ଭେଦରେ ବିବାଦ ଦେଖା ଯାଉଥିବାବେଳେ ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି। ବିଶେଷକରି ନଦୀକୁ ନେଇ ଜ୍ଞାନ ଓ ତଥ୍ୟର ଅଭାବ ଏ ବିବାଦର ମୁଖ୍ୟ କାରଣ କୁହାଯାଉଛି।

Advertisment

ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀକୁ ନେଇ ଭାରତ, ବାଙ୍ଗ୍‌ଲାଦେଶ ଏବଂ ଚୀନ୍‌ ମଧ୍ୟରେ ଦୀର୍ଘ ବର୍ଷର ବିବାଦ କାହାକୁ ଅଛପା ନାହିଁ। ସେହିଭଳି ଗଙ୍ଗା ନଦୀରେ ନିର୍ମିତ ଫାରାକ୍କା ବ୍ୟାରେଜ୍‌କୁ ନେଇ ବିହାର ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ସମୟ‌ରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଫାରାକ୍କା ବ୍ୟାରେଜ୍‌ ଗଙ୍ଗା ନଦୀରେ ପଶ୍ଚିମବଙ୍ଗରେ ନିର୍ମିତ ‌ହୋଇଛି ଏବଂ ଏହା ବଙ୍ଗଳାଦେଶଠାରୁ ମାତ୍ର ୧୬ କିଲୋମିଟର ଦୂରରେ ଅବସ୍ଥିତ। ଫାରାକ୍କା ବ୍ୟାରେଜ୍‌ର ଉପରମୁଣ୍ଡ ପୋତି ହୋଇଯିବା କାରଣରୁ ନିକଟରେ ବିହାର ବନ୍ୟା ପରିସ୍ଥିତି ଉତ୍କଟ ହୋଇଥିଲା। ଏହା ପରେ ବିହାର ପଶ୍ଚିମବଙ୍ଗର ଏକଚାଟିଆ ଅଧିକାର ଉପରେ ଆପତ୍ତି ଉଠାଇଥିଲା। ସୂଚନାଯୋଗ୍ୟ, ହୁଗୁଳି-ଭାଗିରଥୀ ନଦୀର ଜଳସ୍ତର ବୃଦ୍ଧି କରିବା ସହ କଲିକତା ବନ୍ଦର କାରବାର ସୁଗମ କରିବା ଲକ୍ଷ୍ୟରେ ଫାରାକ୍କା ବ୍ୟାରେଜ୍‌ ନିର୍ମାଣ ହୋଇଥିଲା। ଏହା ବଦଳରେ ବାଙ୍ଗ୍‌ଲାଦେଶ ବର୍ଷା ଋତୁ ଭିନ୍ନ ଶୁଷ୍କ ସମୟରେ ତିସ୍ତା ନଦୀର ୫୦ ପ୍ରତିଶତ ଜଳ ଦାବି କରିଆସୁଛି। ତିସ୍ତା ନଦୀର ଜଳକୁ ବାଙ୍ଗ୍‌ଲାଦେଶକୁ ଦେବା ନେଇ ପଶ୍ଚିମବଙ୍ଗ ଆପତ୍ତି ଉଠାଉଛି। ଫଳରେ ଗଙ୍ଗା ଓ ତିସ୍ତା ନଦୀକୁ ନେଇ ଉଭୟ ଦେଶ-ଦେଶ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି।

ସେହିଭଳି ବ୍ରହ୍ମପୁତ୍ର ନଦୀ (ୟୁାର୍ଲୁଂ ସ୍ୟାଙ୍ଗ୍‌ପୋ) ଉପରେ ଚୀନ୍‌ର ଆଧିପତ୍ୟ ରହିଆସିଛି। ବ୍ରହ୍ମପୁତ୍ରର ଜଳକୁ ଚୀନ୍‌ ନିଜ ଦେଶର ବିଭିନ୍ନ ସ୍ଥାନକୁ ଛାଡ଼ି ଦେଉଥିବାରୁ ଏହା ଭାରତ ପ୍ରତି ବିପଦ ସୃଷ୍ଟି କରିଛି। ବ୍ରହ୍ମପୁତ୍ରକୁ ନେଇ ଚୀନ୍‌ ଓ ଭାରତ ମଧ୍ୟରେ ଏକ ନୂତନ ଜଳ ଯୁଦ୍ଧର ସୂତ୍ରପାତ ଘଟିଛି। ବ୍ରହ୍ମପୁତ୍ର ନଦୀ ଜଳକୁ ଚୀନ୍‌ ଏକଚାଟିଆ ଭାବେ ବ୍ୟବହାର କରୁଥିବାରୁ ଭାରତ ସମେତ ବାଙ୍ଗ୍‌ଲାଦେଶ ଭୀଷଣ ଜଳ ସମସ୍ୟା ଭୋଗୁଛନ୍ତି। ତେବେ ବ୍ରହ୍ମପୁତ୍ରର କେତେ ଜଳ ଚୀନ୍‌ ବ୍ୟବହାର କରୁଛି, ନଦୀଳ ଜଳ ପ୍ରବାହ କ୍ଷମତା, ଭୂତଳ ଜଳ ଧାରଣ କ୍ଷମତା, ତଳମୁଣ୍ଡ ବାସିନ୍ଦାଙ୍କ ପାଇଁ ଜଳର ଆବଶ୍ୟକତା, ବନ୍ୟା ଜଳ ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଭାରତ ସରକାର ବିସ୍ତୃତ ତଥ୍ୟ ହାସଲ କରିବାର ଆବଶ୍ୟକତା ଦେଖାଦେଇଛି। ତଥ୍ୟ ଓ ଜ୍ଞାନ ବିନା କେବଳ ଉପରଠାଉରିଆ ବିବାଦ ସୃଷ୍ଟି କଲେ କିଛି ଲାଭ ହେବନାହିଁ ବୋଲି ନଦୀ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।