ଟିକା କିଣିବାକୁ ଲୋକଙ୍କର ନାହିଁ ଆଗ୍ରହ: ୩୦ ପ୍ରତିଶତ ରିହାତି ଦେଲେ ବି ବେସରକାରୀ ଡାକ୍ତରଖାନାରେ ବିକ୍ରି ହୋଇପାରୁନି ଟିକା

ମୁମ୍ବାଇ: ଦେଶରେ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି | ସରକାରୀ ଡାକ୍ତରଖାନା ସହ ବିଭିନ୍ନ ଟିକାକରଣ କେନ୍ଦ୍ରରେ ମଧ୍ୟ ଲୋକଙ୍କୁ ଟିକା ଦିଆଯାଉଛି | ତେବେ ବେସରକାରୀ ହସ୍ପିଟାଲରେ ଚିତ୍ର କିଛି ଅଲଗା ରହିଛି | ଟିକା କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ନଥିବାରୁ ଏବେ ବେସରକାରୀ ଡାକ୍ତରଖାନାମାନଙ୍କରେ ଟିକାର ଷ୍ଟକ ଭର୍ତ୍ତି ହୋଇଯାଇଥିଲେ ବି ଟିକା ନେବାକୁ କେହି ଆସୁନାହାନ୍ତି | କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରରେ କିଛି ଏଭଳି ସ୍ଥିତି ସୃଷ୍ଟି ହୋଇଛି | ସୂଚନା ମୁତାବକ ଦିନେ ଏଭଳି ସ୍ଥିତି ଥିଲା ଯେତେବେଳେ ସରକାରଙ୍କ ଟିକାକୁ ବାଦ ଦେଇ ଘରୋଇ ଡାକ୍ତରଖାନାରେ ବି ଟିକା ଅଭାବ ଦେଖାଦେଇଥିଲା |

କିନ୍ତୁ ବର୍ତ୍ତମାନ ଏହି ଘରୋଇ ହସ୍ପିଟାଲଗୁଡ଼ିକରେ ଟିକା ଷ୍ଟକ୍ ଭର୍ତ୍ତି ହୋଇ ରହିଛି | କିନ୍ତୁ ଟିକା ନେବାକୁ କେହି ଆସୁନାହାନ୍ତି | ସ୍ଥିତି ଏପରି ହୋଇଛି ଯେ ଷ୍ଟକ୍ ସାରିବାକୁ ଘରୋଇ ଡାକ୍ତରଖାନାମାନେ ୧୦ ରୁ ୩୦ ପ୍ରତିଶତ ରିହାତି ଦେବାକୁ ରାଜି ହୋଇଥିଲେ ବି ଟିକା କିଣିବାକୁ କେହି ନାହାଁନ୍ତି। ରିପୋର୍ଟ ଅନୁଯାୟୀ ମୁମ୍ବାଇର ଘରୋଇ ଡାକ୍ତରଖାନାଗୁଡ଼ିକ ଟିକା ଫେରାଇନେବାକୁ ଟିକା ନିର୍ମାତା କମ୍ପାନୀଙ୍କ ସହ ଯୋଗାଯୋଗ କରିଥିଲେ ବି କୌଣସି ଫଳ ମିଳିନାହିଁ | ଘରୋଇ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କ କହିବା ମୁତାବକ ମେ-ଜୁନ୍ ଠାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ସ୍ଥିତି ରହିଛି |

ଏହି ସମୟରେ ଘରୋଇ ଡାକ୍ତରଖାନାଗୁଡ଼ିକୁ ପର୍ଯ୍ୟାପ୍ତ ଟିକା ମିଳୁନଥିଲା । କିନ୍ତୁ ବର୍ତ୍ତମାନ ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକା ଥିଲେ ବି ୮୫ ପ୍ରତିଶତରୁ ଅଧିକ ଟିକା ମୁମ୍ବାଇର ଘରୋଇ ଡାକ୍ତରଖାନାରେ ବିକ୍ରି ହେଉନାହିଁ। ପୂର୍ବରୁ ଟିକା ନେବା ପାଇଁ ପ୍ରତିଦିନ ପ୍ରାୟ ୧୦୦୦ ଲୋକ ଆସୁଥିବାବେଳେ କିନ୍ତୁ ଆଜିର ଦିନରେ ଏହି ସଂଖ୍ୟା ୨୦ ରୁ ୨୫ କୁ ହ୍ରାସ ପାଇଛି |

ସମ୍ବନ୍ଧିତ ଖବର