ଆପ୍ ବିଧାୟକଙ୍କ ସଦସ୍ୟତା ରଦ୍ଦ ମାମଲା, ସ୍ଥଗିତାଦେଶ ଦେଲେନାହିଁ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଅଫିସ ଅଫ ପ୍ରଫିଟ୍ ମାମଲାରେ ୨୦ ଜଣ ଆମ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କ ସଦସ୍ୟପଦ ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ପରେ ଦଳ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦିଲ୍ଲୀ ହାଇକୋର୍ଟ ମାମଲାକୁ ଗ୍ରହଣ କରିବା ସହ ଏ ନେଇ ମତ ରଖିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୨୦ ଜଣ ବିଧାୟକଙ୍କ ସଦସ୍ୟପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ କୌଣସି ସୁପାରିଶ କରାଯାଇଛି କି ନା ସେ ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ବାଚନ ଆୟୋଗର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ରେଖା ପାଲ୍ଲି ନିର୍ଦ୍ଦେଶ ଜାରି କରିଛନ୍ତି । ଆୟୋଗର ମତାମତ ମିଳିବା ପରେ ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ସୋମବାରଦିନ ହେବ ।
ନିର୍ବାଚନ ଆୟୋଗ ଦ୍ୱାରା ଆପର ୨୦ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଲାଗି ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିଦଙ୍କୁ କରିଥିବା ନିଜର ସୁପାରିଶରେ ଆୟୋଗ କହିଥିଲା ଯେ ଏହି ୨୦ ଜଣ ବିଧାୟକ ଥାଇ ସଂସଦୀୟ ସଚିବ ପଦ ରଖିଛନ୍ତି । ଯାହାକି ଏକ ଲାଭକାରୀ ପଦବୀ । ଏଣୁ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବା ଉଚିତ । ଆୟୋଗର ଏହି ନିଷ୍ପତ୍ତି ବିରୋଧରେ ଆପ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।