ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରି ଅତୀତରେ ବିଦେଶରେ ବେଶ୍‌ ନିନ୍ଦିତ ହୋଇଛି ପାକିସ୍ତାନ। ଭାରତର ଅପରେସନ ‘ସିନ୍ଦୂର’ ପରେ ମିଛ ପ୍ରଚାର କରି ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ କରିବାକୁ ପାକିସ୍ତାନ ଚଳାଇଥିବା ଉଦ୍ୟମ ମଧ୍ୟ ଏବେ ବିଫଳ ହୋଇଛି। କିଛି ହାତଗଣତି ଦେଶକୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରମୁଖ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରିବାକୁ ଚାହୁନାହାନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ଏକପ୍ରକାର କୋଣଠେସା ହୋଇପଡ଼ିଛି। ଏହାର ମିତ୍ର ବୋଲି ଦାବି କରୁଥିବା ଚୀନ୍ ମଧ୍ୟ ପାକିସ୍ତାନ ସହିତ ସିଧାସଳଖ ଠିଆ ହେଉନାହିଁ।

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ଚୀନ୍ ଯେଉଁ ବିବୃତି ଜାରି କରିଛି, ସେଥିରେ ବେଜିଂ କୌଣସି ଦେଶର ପକ୍ଷ ନେବା ବଦଳରେ ନିରପେକ୍ଷ ମତ ଦେଇଛି। ଉତ୍ତେଜନାରୁ ବିରତ ରହିବାକୁ  ଏହା ଉଭୟ ପକ୍ଷକୁ ଆହ୍ବାନ ଦେଇ ସମସ୍ୟା ଦୂର କରିବା ଲାଗି ଗଠନମୂଳକ ଭୂମିକା ନିର୍ବାହ କରିବାର ପ୍ରସ୍ତାବ ଦେଇଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ପାକିସ୍ତାନକୁ ସମର୍ଥନ କରିବାକୁ ଚାହୁନାହିଁ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଖୋଲାଖୋଲି ଭାବେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ସହ ତାଙ୍କ ଦେଶର କୌଣସି ସମ୍ପର୍କ ନାହିଁ। ଏଥିରେ ଆମେରିକା ସାମରିକ ହସ୍ତକ୍ଷେପ କରିବ ନାହିଁ। ଉଭୟ ପାକିସ୍ତାନ ଓ ଚୀନ୍ ମୁହଁ ଫେରାଇ ନେଇଥିବାରୁ ପାକିସ୍ତାନ ଅନ୍ତର୍ଜାତୀୟସ୍ତରରେ ଅଡ଼ୁଆରେ ପଡ଼ିଯାଇଛି। 

ସାଉଦି ଆରବ ଓ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ଦେଶ ସହିତ ପାକିସ୍ତାନର ବହୁତ ଭଲ ସମ୍ପର୍କ ଥିଲା। ମାତ୍ର ପହଲଗାମ ଆତଙ୍କୀ ଆକ୍ରମଣକୁ ଏହି ଦେଶଗୁଡ଼ିକ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆକ୍ରମଣକୁ କଟୁ ସମାଲୋଚନା କରିଥିବାରୁ ପାକିସ୍ତାନ ପାଖରେ ସେଠାରୁ ସହାୟତା ମାଗିବାର ବାଟ ଏକପ୍ରକାର ବନ୍ଦ ହୋଇଯାଇଛି। ତାଲିବାନ ଶାସନାଧୀନ ଆଫଗାନିସ୍ତାନ ସରକାର ଏହି ଘଟଣାରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିବା ସହ ଏହି ବର୍ବର ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନରେ ତାଲିମ ପାଉଥିବା ଆତଙ୍କବାଦୀମାନେ ନିୟମିତ ଭାବେ ଭାରତ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା ପାଇଁ ପାକିସ୍ତାନ ବିଫଳ ହେଉଥିବାରୁ ବିଭିନ୍ନ ଦେଶ ଏହାକୁ ସମର୍ଥନ କରିବା ପୂର୍ବରୁ ଦ୍ବିତୀୟ ଥର ଭାବୁଛନ୍ତି। ଇତିମଧ୍ୟରେ ଆତଙ୍କବାଦ ବିରୋଧରେ ଭାରତ ଏହାର ସ୍ବରକୁ ଆହୁରି ଶାଣିତ କରିବା ସହ ଆମେରିକା, ଜାପାନ ଓ ୟ‌ୁରୋପର ବିଭିନ୍ନ ଦେଶର ସମର୍ଥନ ହାସଲ କରିଛି। ଜାତିସଂଘ ସୁରକ୍ଷା ପରିଷଦର ଅନେକ ସଦସ୍ୟ ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରିବା ଲାଗି ଚାପ ପକାଉଛନ୍ତି।