କୋଲ୍‌କାତା: ରାଜ୍ୟରେ ଚାକିରି ନ ଥିବାରୁ ଉଚ୍ଚଶିକ୍ଷିତ ପୁଅଝିଅମାନେ ବେକାର ହୋଇ ବୁଲୁଛନ୍ତି ବୋଲି ଶନିବାର ଦିନ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ ଏକ ସଭାରେ କହିଛନ୍ତି।

Advertisment

ସେ କହିଛନ୍ତି, ୧୨ ଲକ୍ଷ ପିଲା ଅର୍ଥାତ ପ୍ରାୟ ୮୬% ମେଟ୍ରିକ୍‌ ପାସ୍‌ କରିଛନ୍ତି। ରାଜ୍ୟରେ ଶିକ୍ଷିତ ବେକାର ସୃଷ୍ଟି କରାଯାଉଛି। ସ୍ନାତକ ଏବଂ ସ୍ନାତକୋତ୍ତର କରି ମଧ୍ୟ ସେମାନେ ଚାକିରି ପାଉନାହାନ୍ତି। ମୋତେ ଭେଟିବା ପାଇଁ ଘରକୁ ଆସୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅର୍ଦ୍ଧେକ କେବଳ ଚାକିରି ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ, କେଉଁଠାକୁ ଗଲେ ଚାକିରି ମିଳିବ?

ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ପୁଅଝିଅ ଚାକିରି ଖଣ୍ଡେ ପାଇଁ ଧାଆଁଦୌଡ଼ କରୁଛନ୍ତି। କିନ୍ତୁ, ଚାକିରି ନାହିଁ। ଚଳିତ ବର୍ଷ ୧୨ ଲକ୍ଷ ଛାତ୍ରଛାତ୍ରୀ ମେଟ୍ରିକ୍‌ ପାସ୍‌ କରିଛନ୍ତି। ଅର୍ଥାତ୍‌ ୮୬% ପାସ୍‌ କରିଛନ୍ତି। ଖାଲି ଯାହା ଶିକ୍ଷିତ ବେକାର ସୃଷ୍ଟି କରିବା କଥା। ଏହାଛଡ଼ା, ଉଚ୍ଚମାଧ୍ୟମିକ, ସ୍ନାତକ, ସ୍ନାତକତ୍ତୋର, ପଲିଟେକ୍‌ନିକ୍‌ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଚାକିରି ମିଳୁନାହିଁ। ପ୍ରତିଦିନ ନୂଆ ନୂଆ ଛାତ୍ରଛାତ୍ରୀ ବାହାରୁଛନ୍ତି। ସେମାନେ ବେକାର ହୋଇ ବୁଲୁଛନ୍ତି। ସେମାନଙ୍କୁ ଉପାୟ ବତାଇବାକୁ କେହି ନାହିଁ।

publive-image Image Courtesy of The Week

ମନଦୁଃଖ କରି ସେ କହିଛନ୍ତି, ଦୈନିକ ସକାଳ ବେଳା ମୋ ବାସଭବନରେ ସାଧାରଣ ଜନତାଙ୍କୁ ଭେଟେ। ସେମାନଙ୍କ ମଧ୍ୟରୁ ୧୦ଜଣରୁ ଅନ୍ୟୂନ ୫ଜଣ ଚାକିରି ଖଣ୍ଡେ ପାଇଁ ଆସିଥାଆନ୍ତି।

ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଜଣେ ସ୍ବଳ୍ପ ଡିଗ୍ରିଧାରୀଙ୍କ ପାଇଁ ଚାକିରି ଖଣ୍ଡେ ପାଇବା ଅପେକ୍ଷାକୃତ ସହଜ ହେଉଛି। ଉଚ୍ଚମାଧ୍ୟମିକ (+୨) ପାସ୍‌ କରିଥିବା ପିଲାଟିଏ ଏବେ ବିଭିନ୍ନ ସ୍ଥାନରେ ଚାକିରିଟିଏ ପାଇଯାଉଛି। କେତେକ ଡାକ୍ତରଖାନା ଏବଂ ସେ ଭଳି ଅନ୍ୟ କେତେକ ସ୍ଥାନରେ ସେମାନେ ଚାକିରି ପାଇ ଯାଉଛନ୍ତି। ସେସବୁ ସ୍ଥାନଗୁଡ଼ିକରେ ଦୁଇଚାରିଜଣଙ୍କୁ ଚାକିରି କରାଇ ଦେବା ପାଇଁ ଆମ ନିକଟରେ ସୁଯୋଗ ରହିଛି। କିନ୍ତୁ, ସ୍ନାତକ, ସ୍ନାତକୋତ୍ତର ଅଥବା କ‌ୌଣସି ଉଚ୍ଚ ଡିଗ୍ରିଧାରୀଙ୍କ ନିମନ୍ତେ ଚାକିରି ମିଳୁନାହିଁ।