ପ୍ରଧାନମନ୍ତ୍ରୀଙ୍କୁ କେହି ‘ଚୋର’ କହିବା ଆଦୋୖ ସମୀଚୀନ ନୁହେଁ

‘ତେବେ ରାହୁଲ ପ୍ରଧାନମନ୍ତ୍ରୀ ହେଲେ ଆପତ୍ତି ନାହିଁ’

ବର୍ଷେ ହେଲା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ଭିତରେ ବହୁତ ଅଭିଜ୍ଞତା ହାସଲ କରିଥିବା ମୁଁ ଦେଖିଛି, ଯଦିଓ ଏବେ ମଧ୍ୟ ସେ ଆହୁରି ଅନେକ କିଛି ଶିଖିବାର ଅଛି। ତେବେ ମେଣ୍ଟର ଅଂଶୀଦାର ଭାବେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବାରେ ମୋର କିଛି ଆପତ୍ତି ନାହିଁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଏସ୍) ନେତା ଏଚ୍.ଡି.ଦେବେଗୋୖଡ଼ା କହିଛନ୍ତି। ନିଜ ଛଅ ଦଶନ୍ଧିର ରାଜନୈତିକ କ୍ୟାରିୟର୍‌ର ସମ୍ଭବତଃ ଶେଷ ନିର୍ବାଚନ ପ୍ରଚାରରେ ବାହାରିବା ଅବସରରେ ଦେଶର ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଯଦିଓ ଇତିମଧ୍ୟରେ ରାହୁଲଙ୍କର ଉନ୍ନତି ହୋଇଛି, ପ୍ରଧାନମନ୍ତ୍ରୀଙ୍କୁ ସେ ଚୋର ବୋଲି କହିବା ଆଦୋୖ ସମୀଚୀନ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ପଦବିର ଗରିମା କ୍ଷୁଣ୍ଣ ହେଲାଭଳି କୋୖଣସି ଶବ୍ଦ କେହି ବି ପ୍ରୟୋଗ କରିବା ଉଚିତ ନୁହେଁ। ମୋ ବିଚାରରେ ମୋଦୀ ହେଉଛନ୍ତି ସମଗ୍ର ଦେଶର ପ୍ରଧାନମନ୍ତ୍ରୀ, କୋୖଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ପ୍ରଧାନମନ୍ତ୍ରୀ ନୁହନ୍ତି। ରାଫେଲ ଯୁଦ୍ଧବିମାନ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି, ଜରୁରୀକାଳିନ ପରିସ୍ଥିତିରେ ଏସବୁ ଯୁଦ୍ଧବିମାନ କ୍ରୟ କରିବାରେ କିଛି ଅସ୍ବାଭାବିକତା ନାହିଁ। ତେବେ ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଆଙ୍ଗୁଳି ନିର୍ଦ୍ଦେଶ ହେଉଥିବାରୁ କଥା ଉଠୁଛି। ଯଦିଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କ ପ୍ରତିଟି ପ୍ରଶ୍ନର ଅତି ସୁନ୍ଦର ଜବାବ ରଖିଛନ୍ତି, ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କାହିଁକି ଗୃହରେ ଅନୁପସ୍ଥିତ ରହୁଛନ୍ତି ବୁଝାପଡ଼ୁନାହିଁ। ୨୮୨ ସଦସ୍ୟ ବିଶିଷ୍ଟ ଗୋଟିଏ ଦଳର ନେତା ଗୃହକୁ ଆସିବାକୁ ଭୟ କାହିଁକି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ପ୍ରଦର୍ଶନ ଉପରେ ମତ ରଖି ଦେବେଗୋୖଡ଼ା କହିଲେ, ମୂଳରୁ ମୋଦୀ ଏକ ଭ୍ରଷ୍ଟମୁକ୍ତ ଭାରତ କଥା କହିଥିଲେ। ଏହା ସମ୍ଭବ ହୋଇପାରିଛି କି? ଦେଶର ଅନ୍ୟ କୋୖଣସି ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରଚାର ପାଇଁ ମୋଦୀଙ୍କ ଆଗରୁ ରାଜକୋଷରୁ ଏତେ ପଇସା ଖର୍ଚ୍ଚ କରିନାହାନ୍ତି। ମୋଦୀ ମେକ୍-ଇନ୍-ଇଣ୍ଡିଆ, ସ୍କିଲ୍-ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅନେକ ଭଲ କଥା ଆରମ୍ଭ କରିଥିଲେ। ତେବେ ପ୍ରଚାର ଓ ଉପଲବ୍ଧି ମଧ୍ୟରେ ବହୁତ ଫରକ୍ ରହିଛି। ଆସନ୍ତା ସାଧାରଣ ନିବାର୍ଚନରେ କର୍ଣ୍ଣାଟକରେ ଦଳ ଓ କଂଗ୍ରେସ ଭିତରେ ଆସନ ବୁଝାମଣା ନେଇ କୋୖଣସି ଦ୍ବନ୍ଦ୍ବ ନାହିଁ ଓ ତାଙ୍କ ଦଳକୁ ୨୮ରୁ ୧୦ ଆସନ ଦେବାପାଇଁ କଂଗ୍ରେସ ରାଜି ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର