ଦଙ୍ଗାକାରୀଙ୍କ ଫଟୋ ଥିବା ହୋର୍ଡିଂ ମାମଲା : ଯୋଗୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବିରକ୍ତ

ନୂଆଦିଲ୍ଲୀ : ଦଙ୍ଗାକାରୀଙ୍କ ଫଟୋଚିତ୍ର ଥିବା ହୋର୍ଡିଂ ସର୍ବସାଧାରଣରେ ମାରିବା ନେଇ କୌଣସି ନିୟମ ନାହିଁ ବୋଲି ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ଜଷ୍ଟିସ ୟୁୟୁ ଲଲିତ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏପରି କରିବାର ଅଧିକାର ରାଜ୍ୟ ସରକାରଙ୍କର ଅଛି କି ବୋଲି ବେଞ୍ଚ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଲଢୁଥିବା ସୋଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ବେଞ୍ଚ୍‌ ଏହି ମାମଲାରେ କୌଣସି ରାୟ ପ୍ରଦାନ କରିନାହାନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ସପ୍ତାହରେ ଏକ ତିନି ଜଣିଆ ବେଞ୍ଚରେ ହେବ ।

ଗତ ୯ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଏହି ହୋଡ଼ିଂକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୁଦ୍ଧରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କହିଛନ୍ତି ଯେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ଓ ସେମାନେ ଶାସ୍ତି ପାଇବା ଉଚିତ ।
ନାଗରିକତା ଆଇନକୁ ବିରୋଧ କରି ଗତ ଡିସେମ୍ବର ମାସରେ ଉତ୍ତରପ୍ରଦେଶରେ ହିଂସା ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର