ରାଫେଲ ଚୁକ୍ତି ପରେ ୧୧୨୫ କୋଟିର ଟିକସ୍ ଛାଡ଼!
ଫ୍ରାନ୍ସ ଖବରକାଗଜ ରିପୋର୍ଟକୁ ନେଇ ବିବାଦ, ଭାରତ ସରକାର ଓ ରିଲାଏନ୍ସର ଖଣ୍ଡନ
ନୂଆଦିଲ୍ଲୀ : ଫ୍ରାନ୍ସ ସରକାର ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ସକୁ ଆଉ ଏକ ଅନୁଗ୍ରହ ଦେଖାଇଥିବା ଖବର ଏବେ ପଦାକୁ ଆସିଛି। ରାଫେଲ ଲଢ଼ୁଆ ବିମାନ କ୍ରୟ ଚୁକ୍ତିରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବିରୋଧୀ ଦଳମାନେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ଏହି ନୂଆ ସୂଚନା ପୁଣି ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫ୍ରାନ୍ସରେ ପଞ୍ଜୀକୃତ ହୋଇ ବ୍ୟବସାୟ କରୁଥିବା ରିଲାଏନ୍ସ କମ୍ୟୁନିକେସନ୍ସର ଏକ ସହାୟକ କମ୍ପାନିକୁ ସେଠାକାର ସରକାର ୧୪୩.୭ ନିୟୁତ ୟୁରୋ (୧୧୨୫ କୋଟି ଟଙ୍କା)ର ଟିକସ ଛାଡ଼ କରିଥିବା ଅଭିଯୋଗ ହୋଇଛି। ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ନେଇ ଘୋଷଣା କରିବା ପରେ ରିଲାଏନ୍ସ କମ୍ୟୁନିକେସନ୍ସର ଉକ୍ତ କମ୍ପାନିକୁ ଏହି ଫାଇଦା ଦିଆଯାଇଛି। ଶନିବାର ଫ୍ରାନ୍ସର ଏକ ଅଗ୍ରଣୀ ଖବରକାଗଜ ‘ଲି ମଣ୍ଡେ’ ପକ୍ଷରୁ ଏହି ଖବର ପ୍ରଘଟ କରାଯାଇଛି।
ତେବେ ଏଥିରେ କୌଣସି ଅନିୟମିତତା ହୋଇନାହିଁ। ଆଇନ ଅନୁଯାୟୀ ଟିକସ ବିବାଦ ସମାଧାନ ହୋଇଛି। ଫ୍ରାନ୍ସରେ ଅନ୍ୟ ସବୁ କମ୍ପାନିକୁ ଯେଉଁ ସୁବିଧା ମିଳିଛି ରିଲାଏନ୍ସ କମ୍ୟୁନିକେସନ୍ସକୁ ତାହା ମିଳିଛି ବୋଲି କମ୍ପାନି କହିଛି।
‘ଲି ମଣ୍ଡେ’ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ଫ୍ରାନ୍ସ କମ୍ପାନି ରିଲାଏନ୍ସ ଫ୍ଲାଗ୍ ଆଟଲାଣ୍ଟିକ୍ ଫ୍ରାନ୍ସ ବିରୋଧରେ ଫ୍ରାନ୍ସର ଟିକସ କର୍ତ୍ତୃପକ୍ଷ ୧୫୧ ନିୟୁତ ୟୁରୋ ଟିକସ ପ୍ରଥମେ ଦାବି କରିଥିଲେ। କିନ୍ତୁ ପରେ ଏହାଠାରୁ ମାତ୍ର ୭.୩ ନିୟୁତ ୟୁରୋ ଅର୍ଥ ନେଇ ଅବଶିଷ୍ଟ ୧୪୩.୭ ନିୟୁତ ୟୁରୋ ଅର୍ଥକୁ ଛାଡ଼ି ଦେଇଥିଲେ। ରିଲାଏନ୍ସ ଫ୍ଲାଗ୍ ଆଟାଲାଣ୍ଟିକ୍ ଫ୍ରାନ୍ସ କମ୍ପାନି ଫ୍ରାନ୍ସରେ ଟେଲିଫୋନ ଭଏସ୍ ଏବଂ ଡାଟା ସେବା ଯୋଗାଇ ଦେଇଥାଏ। ଏହି କମ୍ପାନି ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିଲା।
ପ୍ୟାରିସଠାରେ ୨୦୧୫ ଏପ୍ରିଲ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦେଙ୍କ ସହ ରାଫେଲ ବିମାନ କ୍ରୟ ସଂକ୍ରାନ୍ତ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ମୋଦୀ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ ଭାରତ କିଣିବା ନେଇ ଘୋଷଣା କରିଥିଲେ। ଏ ନେଇ ଚୂଡ଼ାନ୍ତ ରାଜିନାମା ୨୦୧୬ ସେପ୍ଟେମ୍ବର ୩୦ରେ ହୋଇଥିଲା।
ଫ୍ରାନ୍ସ ସହିତ ଭାରତ କରିଥିବା ଏହି ଚୁକ୍ତିରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି। ୟୁପିଏ ସରକାର ଫ୍ରାନ୍ସଠାରୁ ଗୋଟିଏ ରାଫେଲ ବିମାନକୁ ୫୨୬ କୋଟିରେ କିଣିବାକୁ ଚୂଡ଼ାନ୍ତ କରିଥିବା ବେଳେ ମୋଦୀ ସରକାର ୧୬୭୦ କୋଟି ଟଙ୍କାରେ ଏହାକୁ କିଣିବାକୁ ରାଜିନାମା କରିଛନ୍ତି ବୋଲି ଏହି ବିରୋଧୀ ଦଳ ଅଭିଯୋଗ କରିଆସୁଛି। କେବଳ ଏତିକି ନୁହେଁ ଚୁକ୍ତି ସ୍ବାକ୍ଷର ବେଳେ ଅନିଲଙ୍କ କଂପାନି ପ୍ରତି ସରକାର ଅତ୍ୟଧିକ ଅନୁଗ୍ରହ ପ୍ରଦର୍ଶନ କରିଥିବା କହିଥିଲା। ରାଫେଲ ବିମାନର ନିର୍ମାତା ଡାସଲ୍ଟ ଏଭିଏସନର ଭାରତୀୟ ସହଯୋଗୀ ବା ଅଫସେଟ୍ ପାର୍ଟନର ଭାବେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଚୟନ କରାଯାଇଛି।
ତେବେ ଏହି ଖବର ଉପରେ ରିଲାଏନ୍ସ କମ୍ୟୁନିକେସନ୍ସ ପକ୍ଷରୁ ସଫେଇ ଦିଆଯାଇଛି। କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି, ଫ୍ରାନ୍ସ ପକ୍ଷରୁ ଯେଉଁ ଟିକସ ଦାବି କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଭାବେ ବେଆଇନ ଥିଲା। ସେହିଭଳି ଏହି ବିବାଦ ସମାଧାନରେ କମ୍ପାନିକୁ କୌଣସି ଅନୁଗ୍ରହ କିମ୍ବା ଲାଭ ମିଳିନାହିଁ। ୨୦ ବର୍ଷ ପୂର୍ବେ ଫ୍ଲାଗ ଫ୍ରାନ୍ସର ପରିଚାଳନା କ୍ଷତି ୨୦ କୋଟି (୨.୭ ନିୟୁତ ୟୁରୋ) ରହିଥିଲା। ପ୍ରାୟ ୧୦ ବର୍ଷ ପୂର୍ବେ ୨୦୦୮-୧୨ ମଧ୍ୟରେ ଏହି କ୍ଷତି ହୋଇଥିଲା। କିନ୍ତୁ ଫ୍ରାନ୍ସର ଟିକସ କର୍ତ୍ତୃପକ୍ଷ ୧୧୦୦ କୋଟିରୁ ଅଧିକ ପରିମାଣର ଟିକସ ଦାବି କରିଥିଲେ। ଆଇନ ଅନୁଯାୟୀ ଫ୍ରାନ୍ସର ଟିକସ କର୍ତ୍ତୃପକ୍ଷ ଓ କମ୍ପାନି ମଧ୍ୟରେ ୫୬ କୋଟି ଟଙ୍କାର ଟିକସ ପ୍ରଦାନ ନେଇ ବୁଝାମଣା ହୋଇଥିଲା ବୋଲି ପ୍ରବକ୍ତା କହିଛନ୍ତି।
ସେହିଭଳି ଭାରତର ପ୍ରତିରକ୍ଷା ବିଭାଗ ମଧ୍ୟ ଏକ ବିବୃତି ଜାରି କରି କହିଛି ଯେ ରିଲାଏନ୍ସ କଂପାନିକୁ ଟିକସ ଛାଡ଼ ସହ ରାଫେଲ ଚୁକ୍ତିର କୌଣସି ସଂପର୍କ ନାହିଁ।