ଏନଆରସି ଓ ଏନପିଆର ମଧ୍ୟରେ କୌଣସି ସମ୍ପର୍କ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଂଜୀକରଣ (ଏନଆରସି) ଓ ଜାତୀୟ ଜନସଂଖ୍ୟା ପଂଜୀକରଣ ( ଏନପିଆର) ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ ସାରା ଦେଶରେ ଏନଆରସି ଲାଗୁ କରିବା ବିଷୟରେ ଏବେ କୌଣସି ଯୋଜନା ନାହିଁ । ଏ ସଂପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଘୋଷଣା କରିସାରିଛନ୍ତି । ଏଣୁ ଏନଆରସି ଓ ଏନପିଆରକୁ ନେଇ ଚର୍ଚ୍ଚା ହେବା ଅନୁଚିତ ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଶାହା କହିଛନ୍ତି ଯେ ଏନପିଆର ମାଧ୍ୟମରେ ସଂଗ୍ରହ କରାଯିବାକୁ ଥିବା ତଥ୍ୟକୁ ଏନଆରସି ପାଇଁ ବ୍ୟବହାର କରାଯିବ ନାହିଁ । ଏଣୁ ଏହାକୁ ନେଇ ବିତର୍କ କରାଯିବାର ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନପିଆଇ ପାଇଁ କୌଣସି କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ ନୁହେଁ ।

ଆଜି କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ଜାତୀୟ ଜନସଂଖ୍ୟା ପଂଜୀକରଣ ( ଏନପିଆର)କୁ ମଂଜୁରୀ ଦେଇଥିଲା । ଏହା ଆସନ୍ତା ବର୍ଷ ଏପ୍ରିଲ ଓ ସେପ୍ଟେମ୍ବର ମଧ୍ୟରେ କରାଯିବ । ସରକାର ଏଥିପାଇଁ ୩୯୪୧ କୋଟି ଟଙ୍କା ମଂଜୁର କରିଛନ୍ତି । ଯେଉଁ ଲୋକମାନେ ଭାରତରେ ଗତ ୬ ମାସ ହେଲା ନିୟମିତଭାବେ ରହୁଛନ୍ତି, କିମ୍ବା ଯେଉଁମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି, ସେମାନଙ୍କୁ ମଧ୍ୟ ଭାରତର ବାସିନ୍ଦାଭାବେ ଗଣନା କରାଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର