ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଫେସ୍ବୁକ୍ରେ କୌଣସି ଭାରତୀୟ ଭୋଟର୍ଙ୍କର ତଥ୍ୟ ନାହିଁ ଏବଂ ସେଥିପାଇଁ ଚିନ୍ତିତ ହେବା ଅନାବଶ୍ୟକ ବୋଲି ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ କମିସନର୍ ଓ ପି ରାଓ୍ଵତ୍ କହିଛନ୍ତି। ସଂପ୍ରତି ବ୍ରିଟିସ୍ ଫାର୍ମ କେମ୍ବ୍ରିଜ୍ ଆନାଲିଟକ୍ସ୍ ଭୋଟର୍ମାନଙ୍କର ତଥ୍ୟ ଫେସ୍ବୁକ୍ ମାଧ୍ୟମରୁ ସଂଗ୍ରହ କରି ଆମେରିକା ଓ ଫ୍ରାନ୍ସ୍ ନିର୍ବାଚନକୁ ପ୍ରଭାବିତ କରିଥିବା କଥା ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିସନ୍ ଫେସ୍ବୁକ୍କୁ କୌଣସି ନିର୍ବାଚନ କି, ଭୋଟର୍ଙ୍କ ସଂକ୍ରାନ୍ତରେ କୌଣସି ତଥ୍ୟ ସେୟାର୍ କରିନାହିଁ।
ଫେସ୍ବୁକ୍ ସହ ଅଣଆନୁଷ୍ଠାନିକ ଆଲୋଚନା କରି ନିର୍ବାଚନ କମିସନ୍ ଜାଣିବାକୁ ପାଇଛନ୍ତି ଯେ ଏଜ୍ ପ୍ରୋଫାଇଲ୍ ଠାରୁ ଆରମ୍ଭ କରି ଭୋଟର୍ଙ୍କର ଅନ୍ୟ କୌଣସି ତଥ୍ୟ ଫେସ୍ବୁକ୍ ସହ ସଂଯୋଗ କରାଯାଇ ନାହିଁ। ତେଣୁ ନିର୍ବାଚନ କମିସନ କୌଣସି ତଥ୍ୟ ଫେସ୍ବୁକ୍କୁ ସେୟାର କରିଥିବାର ପ୍ରଶ୍ନ ହିଁ ଉଠୁନାହିଁ।
ରାଓ୍ଵତ୍ ପୁଣି କହିଛନ୍ତି ଯେ ଫେସ୍ବୁକ୍ କେବଳ ଜଣେ ଭୋଟର ସ୍ୱେଚ୍ଛାକୃତ ଭାବେ ଦେଇଥିବା ସୂଚନା ବ୍ୟବହାର କରୁଛି। କିନ୍ତୁ, ଚିନ୍ତାର ବିଷୟ ହେଲା ଫେସ୍ବୁକ୍ ଭଳି ସାମାଜିକ ଗଣମାଧ୍ୟମ କେମ୍ବ୍ରିଜ୍ ଆନାଲିଟିକା ଭଳି ଏଜେନ୍ସିକୁ ନିଜର ବ୍ୟବହାରକାରୀଙ୍କ ତଥ୍ୟ ଦେଇ ଭୋଟର୍ଙ୍କୁ ପ୍ରଭାବିତ କରିବା ଚିନ୍ତାର ବିଷୟ ନିଶ୍ଚୟ।
ଏବେ କେମ୍ବ୍ରିଜ୍ ଆନାଲିଟିକା ଫେସ୍ବୁକ୍ରୁ ନେଇଥିବା ତଥ୍ୟରେ ଭାରତୀୟ ନିର୍ବାଚନ କମିସନ୍ଙ୍କ ପ୍ରସଙ୍ଗ ନାହିଁ। ଏ ମାମଲାରେ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ତଦନ୍ତ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ରାଓ୍ଵତ୍ କହିଛନ୍ତି।