ଗାଜା: ପାଲେଷ୍ଟାଇନ ସଂଗଠନ ହମାସ ସହ ୭ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗୁରୁବାର ଗାଜାବାସୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସେଠାରୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ ଅଲଟିମେଟମ ଦେଇଛି। ଇସ୍ରାଏଲ ସେନା ଗାଜା ସହରରେ ପ୍ରଚାରପତ୍ର ପକାଇଛି। ଏଥିରେ ଲେଖାଯାଇଛି, ୨୪ ଘଣ୍ଟା ମଧ୍ୟରେ ଗାଜାର ଲୋକମାନେ ସେଠାରୁ ଦକ୍ଷିଣ ଗାଜାକୁ ଚାଲିଯିବା ଉଚିତ୍ । ସେଠାରେ ରହୁଥିବା ଲୋକମାନେ ସେମାନଙ୍କର ଶତ୍ରୁ ନୁହଁନ୍ତି, ସେମାନେ କେବଳ ହମାସକୁ ନିପାତ କରିବାକୁ ଚାହାଁନ୍ତି। ଅନ୍ୟପକ୍ଷରେ ହମାସ ଲୋକମାନଙ୍କୁ ନିଜ ସ୍ଥାନ ନ ଛାଡ଼ି ଯେଉଁଠି ଅଛନ୍ତି ସେଠାରେ ରହିବାକୁ କହିଛି।

Advertisment

ଇସ୍ରାଏଲର ଏପରି ନିର୍ଦ୍ଦେଶ ପରେ ଅନେକ ନିଜର ଜିନିଷପତ୍ର ଧରି ଗାଜା ସହର ଛାଡ଼ି ଚାଲିଯାଉଥିବା ଦେଖାଯାଇଛି । ତେବେ ସହରରୁ ଲୋକମାନଙ୍କ ଗଣପଳାୟନ ଦେଖିବାକୁ ମିଳିନାହିଁ । କେତେକ ଲୋକ ସ୍ଥାନ ଛାଡ଼ି ଯିବା ଅପେକ୍ଷା ଏଠାରେ ମରିବା ଶ୍ରେୟସ୍କର ବୋଲି କହିଛନ୍ତି । ଜଣେ ୨୦ ବର୍ଷୀୟ ଯୁବକ କହିଛି ଯେ ପଳାୟନ କରିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ।

ତେବେ ଲୋକମାନଙ୍କ ଉପରେ ବୋମାମାଡ଼ ନ କରିବାକୁ ଇସ୍ରାଏଲକୁ କେତେକ ଦେଶ ଓ ଜାତିସଂଘ ନିବେଦନ କରିଛନ୍ତି । ମାତ୍ର ୨୪ ଘଣ୍ଟାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି । ତେବେ ଏହି ନିବେଦନ ସଂପର୍କରେ ଇସ୍ରାଏଲ ପକ୍ଷରୁ କୌଣସି ଜବାବ ଆସିନାହିଁ ।