କରୋନାରୁ ଆରୋଗ୍ୟ ପାଇଁ ‘କରୋନିଲ୍‌’ ଉଦ୍ଭାବନ କରିଥିବା ଦାବିକରି ବିବାଦରେ ଫସିଲେ ପତଞ୍ଜଳି ମୁଖ୍ୟ ଯୋଗଗୁରୁ ରାମଦେବ

ହରିଦ୍ୱାର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବା ପାଇଁ ‘କରୋନିଲ’ ନାମରେ ଏକ ଔଷଧ ଉଦ୍ଭାବନ ବା ବିକଶିତ କରିଛନ୍ତି ବୋଲି ଦାବି କରିବା ପରେ ଏବେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ପତଞ୍ଜଳି ସଂସ୍ଥା ମୁଖ୍ୟ ତଥା ଯୋଗଗୁରୁ ବାବା ରାମଦେବ। ଉଲ୍ଲେଖଯୋଗ୍ୟ, ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ସଂସ୍ଥା କରୋନାରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ ପାଇଁ ଏକ ଔଷଧର ଉଦ୍ଭାବନ କରିଥିବା ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ସମଗ୍ର ଦେଶରେ ଏହି ଔଷଧର ବିକ୍ରୟ ପାଇଁ ଗତକାଲି (ମଙ୍ଗଳବାର) ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲା।

ମଙ୍ଗଳବାର ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଗୁରୁ ବାବା ରାମଦେବ କହିଥିଲେ ଯେ ପତଞ୍ଜଳି ସଂସ୍ଥା ସାତ ଦିନ ମଧ୍ୟରେ କରୋନାଭାଇରସକୁ ଭଲ କରି ପାରୁଥିବା ଏକ ଆୟୁର୍ବେଦୀୟ ଔଷଧର ଉଦ୍ଭାବନ କରିଛି। କରୋନିଲ୍‌ ବା କରୋନା କିଟ୍‌ ନାମିତ ଏହି ଔଷଧର ମୂଲ୍ୟ ୫୪୫ ଟଙ୍କା ରହିଛି। ଯାହାର ବିକ୍ରୟ ଆଗାମୀ ଏକ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହେବ। ଏବଂ ଏଥିପାଇଁ ବିଜ୍ଞାପନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା ପତଞ୍ଜଳି ସଂସ୍ଥା। ତେବେ, କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏସଂପର୍କରେ ଯାଞ୍ଚ ଓ ଏହି ଔଷଧର ସବିଶେଷ ପରୀକ୍ଷଣ ନ ସରିବା ପର୍ଯ୍ୟନ୍ତ ଏହାର ବିକ୍ରୟ ଓ ବିଜ୍ଞାପନକୁ ବନ୍ଦ କରିବା କିମ୍ବା ଏଭଳି ଦାବିକୁ ବନ୍ଦ କରିବାକୁ ପତଞ୍ଜଳି ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା।

NDTV

ଏହି ଘଟଣାପରେ ଆଜି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ଲାଇସେନ୍ସ ଅଧିକାରୀ କହିଛନ୍ତି ଯେ ପତଞ୍ଜଳିର କରୋନିଲ୍‌ ପ୍ରୟୋଗରେ କରୋନା ଭାଇରସ୍‌ରୁ ଉପଶମ ବିଷୟରେ କୌଣସି ପ୍ରକାରର ଉଲ୍ଲେଖ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ କରୋନା ଭାଇରସ୍‌ ଚିକିତ୍ସା କରିବାକୁ ଦାବି କରୁଥିବା କିଟ୍‌ ତିଆରି କରିବାକୁ ପତଞ୍ଜଳି ସଂସ୍ଥା କାହାଠାରୁ ଅନୁମତି ପାଇଲା ବା ତାକୁ ଅନୁମତି କିଏ ଦେଲା ସେ ତଥ୍ୟ ମୋ ପାଖରେ ନାହିଁ। ପତଞ୍ଜଳିର କରୋନିଲ୍‌ ପ୍ରୟୋଗ ଦ୍ୱାରା କରୋନା ଭାଇରସ୍‌ରୁ ଉପଶମ ପାଇହେବ ବା ଆରୋଗ୍ୟ ଲାଭ କରିହେବ ସେ ସଂପର୍କରେ ଆମ ବିଭାଗ ପକ୍ଷରୁ ମଧ୍ୟ କୌଣସି ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଇ ନାହିଁ।

Newsnation

ଏହି ଔଷଧର ପ୍ରସ୍ତୁତି ଓ ବିକ୍ରୟ ପୂୂର୍ବରୁ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ‘କରୋନା କିଟ୍‌’ ବା ଆୟୁର୍ବେଦିକ ଔଷଧ କରୋନିଲ୍‌ ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରାଯାଇ ପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ଏହା କରୋନା ଭାଇରସରୁ ଆରୋଗ୍ୟ କିମ୍ବା ଉପଶମ ପ୍ରଦାନକାରୀ ଔଷଧ ବୋଲି କିଛି ହେଲେ କୁହା ଯାଇ ନଥିଲା। କେବଳ କାଶ ଏବଂ ଜ୍ୱରକୁ ଭଲ କରିବା ପାଇଁ ସେମାନେ ଔଷଧ ପ୍ରସ୍ତୁତ କରୁଛନ୍ତି ବୋଲି କମ୍ପାନି ପକ୍ଷରୁ ଆମକୁ କୁହା ଯାଇଥିଲା।

ସମ୍ବନ୍ଧିତ ଖବର