ଟଙ୍କା ନାହିଁ, ଏଟିଏମ୍‌ ଖାଲି

୫ ଗୁଣା ଅଧିକ ୫୦୦ ଟଙ୍କିଆ ଛପା ହେବ, ସମସ୍ୟା ଶୀଘ୍ର ଦୂର ହୋଇଯିବ: ଜେଟ୍‌ଲି

ନୂଆଦିଲ୍ଲୀ: ସାରା ଦେଶରେ ଟଙ୍କାର ଘୋର ଅଭାବ ଦେଖାଦେଇଛି। ଏଟିଏମ୍‌୍‌ଗୁଡ଼ିକ ଖାଲି ପଡ଼ିଛି। ଟଙ୍କାକୁ ନେଇ ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବିମୁଦ୍ରାକରଣ ସମୟରେ ଯେଭଳି ଟଙ୍କା ସଙ୍କଟ ଦେଖାଦେଇଥିଲା ସେହିଭଳି ପରିସ୍ଥିତି ଦେଖାଦେଇଛି। ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଆନ୍ଧ୍ର, ତେଲେଙ୍ଗାନା ଓ ବିହାରରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ଏଟିଏମ୍‌ ଫାଙ୍କା ରହିଛି। ସେଥିରୁ ଟଙ୍କା ବାହାରୁ ନାହିଁ। କିଛି ରାଜ୍ୟରେ ଏହି ସମସ୍ୟା ଅନେକ ଦିନ ହେଲାଣି ଲାଗି ରହିଥିଲା ବେଳେ ଆଜି ହଠାତ୍‌ ସାରା ଦେଶରେ ଟଙ୍କାର ଅଭାବ ଦେଇଛି। ଟଙ୍କାକୁ ନେଇ ପରିସ୍ଥିତି ଗମ୍ଭୀର ହୋଇପଡ଼ିବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ସଫେଇ ଦେବାକୁ ପଡ଼ିଛି। ସେ କହିଲେ, ଦେଶରେ ନଗଦ ଟଙ୍କାର କୌଣସି ଅଭାବ ନାହିଁ। ଏଟିଏମ୍‌ଗୁଡ଼ିକ ଖାଲି ରହିବା ଏକ ସାମୟିକ ସମସ୍ୟା। ଏହା ଶୀଘ୍ର ଦୂର ହୋଇଯିବ। ବଜାରରେ ଓ ବ୍ୟାଙ୍କ ପାଖରେ ପର୍ଯ୍ୟାନ୍ତ ପରିମାଣର ଟଙ୍କା ରହିଛି। ଟ୍ଵିଟର୍‌ ମାଧ୍ୟମରେ ସେ ଜଣାଇଛନ୍ତି ଯେ ଦେଶର କିଛି ପ୍ରାନ୍ତରେ ହଠାତ ଟଙ୍କା ଚାହିଦା ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ୟା ଶୀଘ୍ର ଦୂର ହୋଇଯିବ। ମାସେରୁ ଅଧିକ ସମୟ ହେଲାଣି ଆନ୍ଧ୍ର ଓ ତେଲେଙ୍ଗାନାରେ ଏଟିଏମ୍‌ଗୁଡ଼ିକ ଖାଲି ରହୁଥିଲା। କିଛି ଦିନ ଭିତରେ ଏହି ସମସ୍ୟା ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଓ ବିହାର ପର୍ଯ୍ୟନ୍ତ ବ୍ୟାପିଯାଇଛି।

ଏହି ସମସ୍ୟା ବିଷୟରେ ମତ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି ଯେ ଚଳିତ ମାସ ୬ ତାରିଖରେ ବଜାରରେ ପ୍ରଚଳନରେ ଥିବା ଟଙ୍କା ପରିମାଣ ହେଉଛି ୧୮ ଲକ୍ଷ ୧୭ ହଜାର କୋଟି ଟଙ୍କା। ବିମୁଦ୍ରାକରଣ ପରେ ୫ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଛପା ହୋଇଥିଲା। ଏହା ପରେ ଏହି ନୋଟ୍‌ ଛପା ବନ୍ଦ କରିଦିଆଯାଇଥିଲା। ବ୍ୟାଙ୍କଗୁଡ଼ିକ ଭାବୁଛନ୍ତି ଯେ ଲୋକମାନେ ଦୁଇ ହଜାର ଟଙ୍କିଆଗୁଡ଼ିକୁ ନେଇ ମହଜୁଦ ରଖିଛନ୍ତି। ସେଥିପାଇଁ ସେଗୁଡ଼ିକ ବଜାରକୁ ଆସୁନାହିଁ। ସରକାର ସାରା ଦେଶରେ ଏଟିଏମ୍‌ ସ୍ଥିତିର ଅନୁଧ୍ୟାନ କରିଛନ୍ତି। କିଛି ଅଞ୍ଚଳରେ ଏଟିଏମ୍‌ ଫାଙ୍କା ରହୁଥିବା ଜଣାପଡ଼ିଛି। ହଠାତ ଟଙ୍କା ଚାହିଦା ବଢ଼ିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ଗତ ୧୩ ଦିନ ଭିତରେ ଟଙ୍କା ଯୋଗାଣ ୪୫ ହଜାର କୋଟି ଟଙ୍କା ବଢ଼ିଛି। ଆନ୍ଧ୍ର, ତେଲେଙ୍ଗାନା, ବିହାର, କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ଟଙ୍କା ଚାହିଦା ହଠାତ୍‌ ବଢ଼ିଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା କହିଛନ୍ତି ଯେ ତିନିଟି କାର୍ଯ୍ୟଦିବସ ଭିତରେ ସମସ୍ୟାର ସମାଧାନ ହୋଇଯିବ। ସେ କହିଛନ୍ତି ଯେ କିଛି ରାଜ୍ୟରେ ଟଙ୍କାର ଅଭାବ ଦେଖାଦେଇଥିବା ବେଳେ ଆଉ କିଛି ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ମହଜୁଦ ରହିଛି। ଅଧିକ ଟଙ୍କା ଥିବା ରାଜ୍ୟରୁ ଅତିରିକ୍ତ ଟଙ୍କାକୁ ଆଣିବ ଅଭାବ ଥିବା ରାଜ୍ୟଗୁଡ଼ିକୁ ପଠାଯିବ। ଏଥିପାଇଁ ସରକାର ରାଜ୍ୟ-ସ୍ତରୀୟ କମିଟି ଗଠନ କରିଥିବା ବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ କମିଟି ଗଠନ କରିଛି ବୋଲି ସେ କହିଛନ୍ତି। ଟଙ୍କା ସଙ୍କଟ ବିଷୟରେ ଅର୍ଥନୈତିକ ବ୍ୟାପାର ସଚିବ ଏସ୍‌ ସି ଗର୍ଗ କହିଛନ୍ତି ଯେ, ଦେଶରେ କୌଣସି ଟଙ୍କା ସଙ୍କଟ ନାହିଁ। ବଜାରରେ ୧୮ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ରହିଛି। ସରକାର ନିଜ ପାଖରେ ୨-୩ ଲକ୍ଷ କୋଟି ଟଙ୍କାର ଅଧିକ ମୁଦ୍ରା ରଖିଛନ୍ତି। ବଜାରରେ ଚାହିଦା ବଢ଼ିଲେ ସେହି ମୁଦ୍ରାଗୁଡ଼ିକୁ ପ୍ରଚଳନ କରାଯିବ। ଏବେବି ସରକାରଙ୍କ ପାଖରେ ୧.୭୫ ଲକ୍ଷ କୋଟିର ଅତିରିକ୍ତ ଟଙ୍କା ରହିଛି ବୋଲି ସେ କହିଛନ୍ତି। ଦେଶରେ ଟଙ୍କାକୁ ନେଇ ଦେଖାଦେଇଥିବା ଚାହିଦାକୁ ପୂରଣ କରିବା ପାଇଁ ପ୍ରତି ଦିନ ୫୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛପା ହେଉଛି। ୫୦୦ ଟଙ୍କିଆ ନୋଟ୍‌ ଛପାଇବା କାର୍ଯ୍ୟ ୫ ଗୁଣା ବଢ଼ାଇ ଦିଆଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଦିନକୁ ୨୫୦୦ କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯିବ। ମାସକ ଭିତରେ ସେହି ପରିମାଣ ୭୦-୭୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ ବୋଲି ଶ୍ରୀ ଗର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର