ଟିକା ମିଶ୍ରଣ ନେଇ ବୈଜ୍ଞାନିକ ପ୍ରମାଣ ନାହିଁ, ସମସ୍ତଙ୍କୁ ଗୋଟେ ଟିକାର ଦୁଇଟି ଡୋଜ ନେବାକୁ ପଡିବ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଦୁଇଟି ଭିନ୍ନ ଟିକାର ଡୋଜ ନେବା ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି | କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଏହାର ପ୍ରଭାବ ଉପରେ ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ନହେବା ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯ ଟିକାର ମିଶ୍ରଣ ହେବ ନାହିଁ। କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିବା ଲୋକେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ନେବେ ଏବଂ କୋଭାକ୍ସିନର ପ୍ରଥମ ଡୋଜ ନେଇଥିବା ଲୋକେ କୋଭାକ୍ସିନର ଦ୍ଵିତୀୟ ଡୋଜ ନେବେ |
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାର କୋଭିସିଲ୍ଡର ଦ୍ଵିତୀୟ ଡୋଜ ହଟାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡାକ୍ତର ଭି.କେ ପୌଲ କହିଛନ୍ତି ଯେ କୋଭିସିଲ୍ଡ ଏବଂ କୋଭାକ୍ସିନ ପାଇଁ ଟିକାକରଣ ସୂଚୀରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ ପାଇଁ ଅନୁସରଣ କରାଯାଉଥିବା ଦୁଇ-ଡୋଜ୍ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ। କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ୧୨ ସପ୍ତାହ ପରେ ଦିଆଯିବ ଏବଂ ପ୍ରଥମ ଡୋଜ୍ ପରେ ୪-୬ ସପ୍ତାହ ପରେ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ଦିଆଯିବ |
ଏହା ସହ ଛୋଟ ପିଲାଙ୍କୁ କରୋନା ଭୂତାଣୁ ଆକ୍ରମଣ କରିବା ନେଇ ସେ କହିଛନ୍ତି ଯେ, ଛୋଟ ପିଲାଙ୍କୁ କରୋନା ହେଲେ କୌଣସି ଲକ୍ଷଣ ଦେଖାଯାଉନାହିଁ | କିଛି ଜଣଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ କିଛି ଜଣଙ୍କ ପାଖରେ ଜମା ବି ଲକ୍ଷଣ ଦେଖାଯାଉନି | ଏବେ ପର୍ଯ୍ୟନ୍ତ କରୋନା ଭୂତାଣୁ ଶିଶୁଙ୍କୁ ସେତେଟା ଗୁରୁତର ସହ ଆକ୍ରମଣ କରିନାହିଁ | ତେବେ ଆଗକୁ ଭୂତାଣୁ ଶିଶୁଙ୍କୁ ଅଧିକ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଆମେ ସେ ନେଇ ପ୍ରସ୍ତୁତ ହେଉଛୁ |