‘ନୋ ମନି ଫର୍‌ ଟେରର୍‌’ ସମ୍ମିଳନୀ ଉଦ୍‌ଯାପିତ; ଆତଙ୍କବାଦ ଗଣତନ୍ତ୍ରର ସବୁଠୁ ବଡ଼ ଶତ୍ରୁ: ଶାହ

ନୂଆଦିଲ୍ଲୀ: ‘ ନୋ ମନି ଫର୍‌ ଟେରର୍‌’ ସମ୍ମିଳନୀର ଆଜି ଉଦ୍‌ଯାପନୀ ଅଧିବେଶନରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଗୃହ‌ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆତଙ୍କବାଦ ହେଉଛି ଗଣତନ୍ତ୍ର, ମାନବାଧିକାର, ଆର୍ଥିକ ପ୍ରଗତି ଏବଂ ବିଶ୍ବ ଶାନ୍ତିର ସବୁଠୁ ବଡ଼ ଶତ୍ରୁ। ଶାହ କହିଛନ୍ତି, ଆତଙ୍କବାଦ ଏତେ ଭୟଙ୍କର ରୂପ ନେଇଛି ଯେ ପ୍ରତିଟି ସ୍ତରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କୌଣସି ବି ରାଷ୍ଟ୍ର ଏକାକୀ ଆତଙ୍କବାଦ ବିରୋଧରେ ସଫଳତାର ସହ ଲଢ଼ି ପାରିବେ ନାହିଁ । ଶାହ କହିଛନ୍ତି, ସମଗ୍ର ଅନ୍ତର୍ଜାତୀୟ ସମୁଦାୟ କାନ୍ଧରେ କାନ୍ଧ ମିଳାଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ।

ଆତଙ୍କବାଦ ସମେତ ବିଭିନ୍ନ ଚ୍ୟାଲେଂଜ ନିୟନ୍ତ୍ରଣ ପାଇଁ ଶାହ ଭାରତର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଶାହ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି, ଆତଙ୍କବାଦ ନିରୋଧ ଆଇନ ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପ କମୁଥିବା ଦେଖିବାକୁ ମିଳିଛି। ସେହିପରି ଭାରତ ସରକାର ଆତଙ୍କବାଦ, ନା‌‌ର୍କୋଟିକ୍ସ ଏବଂ ଅର୍ଥନୈତିକ ଅପରାଧ ଭଳି ବିଭିନ୍ନ ଅପରାଧ ପାଇଁ ଜାତୀୟ ଏବଂ ବୈଶ୍ବିକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇବର୍‌ ଅପରାଧ ବିରୋଧରେ ଲଢ଼ିବାପାଇଁ ସରକାର ‘ଇଣ୍ଡିଆନ ସାଇବରକ୍ରାଇମ୍‌ କୋଅର୍ଡିନେସନ୍‌ ସେଣ୍ଟର’ ପ୍ରତିଷ୍ଠା କରିଛନ୍ତି ବୋଲି ଶାହ କହିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୭୦ରୁ ଅଧିକ ରାଷ୍ଟ୍ର ଭାଗ ନେଇଥିବା ବେଳେ ଆତଙ୍କବାଦର ମୁକାବିଲା ପାଇଁ ମିଳିତ ରଣନୀତି ଉପରେ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର