ଆତଙ୍କ ଶେଷ ନହେବା ଯାଏଁ ଶାନ୍ତିରେ ବସିବୁ ନାହିଁ: ମୋଦୀ

‘ନୋ ମନି ଫର୍‌ ଟେରର୍‌’ ସମ୍ମିଳନୀ

ନୂଆଦିଲ୍ଲୀ : ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସାରା ବିଶ୍ବ ଏକଜୁଟ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍‌ ଟେରର’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏକ ବିଶାଳ, ସକ୍ରିୟ, ପ୍ରକ୍ରିୟାଗତ ପ୍ରତିକ୍ରିୟାର ଆବଶ୍ୟକତା ରହିଛି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସାରା ବିଶ୍ବ ଏକଜୁଟ ହେବାର ଆବଶ୍ୟକତା ରହିଛି। ଯଦି ଆମେ ଆମର ନାଗରିକଙ୍କ ସୁରକ୍ଷା ଚାହୁଛେ ତେବେ ଆମେ ଆତଙ୍କବାଦୀଙ୍କୁ ଆମ ଘର ପର୍ଯ୍ୟନ୍ତ ଆ‌ସିବାପାଇଁ ଅପେକ୍ଷା କରିବାନି। ଆମେ ଆତଙ୍କବାଦୀଙ୍କୁ ପିଛା କରିବା ଉଚିତ, ସେମାନଙ୍କ ନେଟୱର୍କ ଭାଙ୍ଗିବା ଏବଂ ସେମାନଙ୍କ ଆର୍ଥିକ ମୂଳଦୁଆ ଉପରେ ପ୍ରହାର କରିବା ଉଚିତ।

ମୋଦୀ ମଧ୍ୟ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କ‌ରେ କଡ଼ା ଟିପ୍ପଣୀ ରଖିଛନ୍ତି। ସେ କହିଛନ୍ତି, ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ କଡ଼ା କଟକଣା ଲଗାଇବା ଆବଶ୍ୟକ। ଆତଙ୍କବାଦୀଙ୍କୁ ଦରଦ ଦେଖାଉଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ବି ଅଲଗା କରିଦେବା ଉଚିତ। ମୋଦୀ କହିଛନ୍ତି, କିଛି ରାଷ୍ଟ୍ର ସେମାନଙ୍କ ବିଦେଶ ନୀତି ଆଧାରରେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। ସେମାନେ ଆତଙ୍କବାଦୀଙ୍କୁ ରାଜନୈତିକ, ଆର୍ଥିକ ଏବଂ ବୈଚାରିକ ସମର୍ଥନ ପ୍ରଦାନ କରୁଛନ୍ତି। ଏଭଳି ରାଷ୍ଟ୍ର ବିରୋଧରେ କଡ଼ା କଟକଣା ଲଗାଇବା ଉଚିତ।

ମୋଦୀ କହିଛନ୍ତି, ଦୀର୍ଘ ଦଶନ୍ଧି ଧରି ଭାରତ ଆତଙ୍କବାଦ ପାଇଁ କ୍ଷତି ସହିଛି। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମୋଦୀ କହିଛନ୍ତି, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ। ତେଣୁ ଆତଙ୍କବାଦର ମୂଳୋତ୍ପାଟନ ହେବା ନହେବା ପର୍ଯ୍ୟନ୍ତ ‌ଆାମେ ଶାନ୍ତିରେ ବସିପାରିବୁନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୭୨ଟି ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର