ଶଶୀ ଥରୁର୍‌ଙ୍କ ଟୁଇଟ୍‌ର ଜବାବ ଦେଲେ ମନ୍ତ୍ରୀ ରାଜବର୍ଦ୍ଧନ ରାଠୋର; ପ୍ରଧାନମନ୍ତ୍ରୀଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଚ୍‌ ଭିଡିଓ ପାଇଁ କୌଣସି ଅର୍ଥ ଖର୍ଚ୍ଚ ହେଉନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବର୍ଦ୍ଧନ ରାଠୋର ସୋମବାର କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଟୁଇଟ୍‌ର ଜବାବ ଦେଇଛନ୍ତି। ଥରୁର୍‌ଙ୍କ ଟୁଇଟ୍‌ର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ରାଜବର୍ଦ୍ଧନ ରାଠୋର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଣ୍ଡରେ ଲାଗିଥିଲା ଆରୋପକୁ ହାଲୁକା କରିଛନ୍ତି।

ନିକଟରେ ଶଶୀ ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆରୋପ ଲଗାଇ ଏକ ଟୁଇଟ୍‌ କରିଥିଲେ ଯେ ‘ଯୋଗ ଦିବସ ପାଇଁ ୨୦ କୋଟି ଟଙ୍କାର ବିଜ୍ଞାପନ। ପ୍ରଧାନମନ୍ତ୍ରୀଙ୍କ ଯୋଗ ଭିଡିଓ ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ।’ ସେ ପ୍ରଧାନମନ୍ତ୍ରୀ ଯୋଗ କରୁଥିବା ବେଳର କିଛି ଫଟୋ ଅପ୍‌ଲୋଡ କରି ଏପରି ଲେଖିଥିଲେ।

ଶଶୀ ଥରୁରଙ୍କର ଏପରି ଟୁଇଟ୍‌ର ଉତ୍ତର ଦେଇ ରାଜବର୍ଦ୍ଧନ କହିଛନ୍ତି କି ‘ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଚ୍‌ ଭିଡିଓ ପାଇଁ କୌଣସି ଅର୍ଥ ଖର୍ଚ୍ଚ ହୋଇନାହିଁ। କାହିଁକି ନା ପ୍ରଧାନମନ୍ତ୍ରୀ ମୋଦି ଯୋଗ କରୁଥିବା ସମୟରେ କରାଯାଉଥିବା ଭିଡିଓଗୁଡ଼ିକ  ପିଏମ୍‌ଓର ଭିଡିଓଗ୍ରାଫର୍ ସୁଟିଂ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୨ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍‌ ମିଡିଆରେ ଏକ ଯୋଗ ଭିଡିଓ ଅପ୍‌ଲୋଡ କରିଥିଲେ। ତାହା ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା।

ସମ୍ବନ୍ଧିତ ଖବର