ବେଜିଂର ବାର୍‌ ଓ ରେସ୍ତୋରାଁମାନଙ୍କରେ ଏକକାଳୀନ ୧୦ରୁ ଅଧିକ ବିଦେଶୀଙ୍କୁ ମନା

ବାର୍ଷିକ ସମ୍ମିଳନୀ ‘ଟୁ ସେସନସ୍‌’ରେ ବିଦ୍ରୋହ ଆଶଙ୍କା!

ବେଜିଂ: ବେଜିଂ ସହରର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ରହିଥିବା ବାର୍‌ ଓ ରେସ୍ତୋରାଁମାନଙ୍କରେ ଏକକାଳୀନ ୧୦ରୁ ଅଧିକ ବିଦେଶୀ ନାଗିିରକଙ୍କୁ ପ୍ରବେଶ ପାଇଁ ଅନୁମତି ନଦେବାକୁ ବେଜିଂ ପୋଲିସ୍‌ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଶେଷ କରି ବେଜିଂର ଏକାଧିକ ବିଶ୍ୱବିଦ୍ୟାଳୟ ରହିଥିବା ତିଆନ୍‌ମେନ୍‌ ଅଞ୍ଚଳରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚୀନ୍‌ ପୋଲିସ୍‌ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ନିୟମ ସପ୍ତାହରେ କେବଳ ମାତ୍ର ଦୁଇଦିନ ଶୁକ୍ରବାର ଓ ଶନିବାର ପାଇଁ ଲାଗୁହେବ। ଯଦି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ ତେବେ ସଂପୃକ୍ତ ବାର୍‌ ଓ ରେସ୍ତୋରାଁମାନଙ୍କୁ ଅବିଳମ୍ବେ ବନ୍ଦ କରି ଦିଆଯିବ ବୋଲି ଚୀନ୍‌ ପୋଲିସ୍‌ ଚେତାବନୀ ଦେଇଛି।


ଚୀନ୍‌ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ବାର୍ଷିକ ସମ୍ମିଳନୀ ‘ଟୁ ସେସନସ୍‌’ରେ ବିଦ୍ରୋହର ଆଶଙ୍କା କରି ବାର୍‌ ଓ ରେସ୍ତୋରାଁମାନଙ୍କ ଉପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଚୀନ୍‌ ପୋଲିସ୍‌ ପ୍ରଶାସନ ପକ୍ଷରୁ ଏପ୍ରକାରର ଅଦ୍ଭୁତ ନିର୍ଦ୍ଦେଶନାମା ଜାରି ହୋଇଥିବା କୁହାଯାଉଛି। ଏହି ବାର୍ଷିକ ସମ୍ମିଳନୀ ‘ଟୁ ସେସନସ୍‌’ରେ ଚୀନ୍‌ର ବିଭିନ୍ନ ପ୍ରାନ୍ତରୁ କମ୍ୟୁନିଷ୍ଟ ନେତା ଓ କର୍ମୀମାନେ ଏକତ୍ରିତ ହେବେ। ବେଜିଂ ଠାରେ ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ ସମ୍ମିଳନୀରେ ସେମାନଙ୍କୁ ଆଗାମୀ ଦିନ ପାଇଁ ମାର୍ଗଦର୍ଶନ ଦିଆଯିବ ଏବଂ ଉଭୟ ସରକାର ଓ ଦଳ ପାଇଁ ଆଗାମୀ ଦିନ ନିମନ୍ତେ କାର୍ଯ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ।


ତେବେ, ନିକଟରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଅନିର୍ଦ୍ଧିଷ୍ଟ କାଳ (ଯାବତ୍‌ଜୀବନ) ପାଇଁ ଦେଶର ରାଷ୍ଟ୍ରପତି ଭାବେ ରହିବା ପାଇଁ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଏହାକୁ ନେଇ ବାର୍ଷିକ ଅଧିଶେନ କାଳରେ ଅଶାନ୍ତି ଓ ବିଦ୍ରୋହ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଚୀନ୍‌ର ଛାତ୍ର ସମାଜ ଚୀନ୍‌ ରାଜନୀତିରେ ଏପ୍ରକାର ନିଷ୍ପତ୍ତିର ବିରୋଧ କରି ପ୍ରସିଦ୍ଧ ତିଆନ୍‌ମେନ୍‌ ସ୍କୋୟାରରେ ବିଦ୍ରୋହ ପ୍ରଦର୍ଶନ କରିପାରନ୍ତି। ଏପ୍ରକାରର ଆଶଙ୍କାକୁ ଦୃଷ୍ଟିରେ ଚୀନ୍‌ ପୋଲିସ୍‌ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯାଉଛି। ତେବେ, ଚୀନ୍‌ର ବାର୍‌ ଓ ରେସ୍ତୋରାଁଗୁଡ଼ିକ ଉପରେ ଜାରି ହୋଇଥିବା ନିର୍ଦ୍ଦେଶନାମାର କାରଣ ସଂପର୍କରେ ଚୀନ୍‌ ପୋଲିସ୍‌ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇ ନଥିଲେ ମଧ୍ୟ ଏହି ନିର୍ଦ୍ଦେଶନାମା ଆସନ୍ତା ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର