ନୂଆଦିଲ୍ଲୀ: ଦେଶରେ ଚାଲିଥିବା କରୋନାଭାଇରସ୍ ସଙ୍କଟ ମଧ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ନିଜ ଯବାନମାନଙ୍କୁ ଯେଉଁଠାରେ ଅଛ ସେଠାରେ ରହିବାକୁ ନିର୍ଦେଶ ଦେଇଛି | ଏପ୍ରିଲ୍ ୨୧ପୂର୍ବରୁ ନିଜ ରହିଥିବା ସ୍ଥାନରୁ ଅନ୍ୟ ସ୍ଥାନକୁ ନଯିବା ପାଇଁ ବାରଣ କରିଛି ବିଏସ୍ଏଫ୍ । ବିଏସ୍ଏଫ୍ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇ କୁହାଯାଇଛି ଯେ, କରୋନାଭାଇରସ୍ ମହାମାରୀ କାରଣରୁ ନିଆଯାଇଥିବା ସତର୍କତାମୂଳକ କାର୍ଯ୍ୟର ଏକ ଅଂଶ ଭାବରେ ଏପ୍ରିଲ୍ ୨୧ପୂର୍ବରୁ କୌଣସି ପ୍ରକାରର ଗତିବିଧି ହେବ ନାହିଁ।
ବିଏସ୍ଏଫର ସମସ୍ତ ଯବାନମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କ ଛୁଟି ଅବଧି ଏପ୍ରିଲ୍ ୨୧ପର୍ଯ୍ୟନ୍ତ ବୃଦ୍ଧି ହେବା ସହ ଯେଉଁମାନେ ଏପ୍ରିଲ୍ ୨୦୨୦ରେ ଯୋଗଦେବାକୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଛୁଟି ଦିଆଯାଇଛି। ସେହିଭଳି ତାଲିମ କେନ୍ଦ୍ରଗୁଡ଼ିକ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶନାମା ଜାରି କରାଯାଇଛି | ଯେଉଁଠାରେ ତାଲିମ କାର୍ଯ୍ୟକ୍ରମ ପୂର୍ବରୁ ଚାଲୁଥିଲା, ଆଗାମୀ ଦିନରେ ଏହାକୁ ବନ୍ଦ କରାଯିବ | ଟେଲିଫୋନ୍ କଲ୍ ମାଧ୍ୟମରେ ଯବାନମାନକୁ ଏହି ନିର୍ଦ୍ଦେଶନାମା ବିଷୟରେ ସୂଚନା ଦିଆଯାଇଛି |

“ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ସମସ୍ତ ଅତ୍ୟାବଶ୍ୟକ ତଥା ନିତ୍ୟ ବ୍ୟବହାର୍ଯ୍ୟ ଗତିବିଧି, ସ୍ଥାନାନ୍ତର ଏବଂ ପୋଷ୍ଟିଂକୁ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧୫ପର୍ଯ୍ୟନ୍ତ ସୈନ୍ୟବାହିନୀରେ କୌଣସି ଯାତ୍ରା ହେବ ନାହିଁ ବୋଲି ନିଉଜ ଏଜେନ୍ସି ପିଟିଆଇ ପକ୍ଷରୁ କୁହାଯାଇଛି।” । ଯାତ୍ରା ସମୟରେ ଏହି ରୋଗ ବ୍ୟାପିବାର ସମ୍ଭାବନାକୁ ରୋକିବା ପାଇଁ ସେନାର ବରିଷ୍ଠ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂର୍ବରୁ ଛୁଟିରେ ଥିବା ଏବଂ ଏପ୍ରିଲ ୫ପୂର୍ବରୁ ଡ୍ୟୁଟିରେ ଯୋଗଦେବା ସମ୍ଭାବନା ଥିବା ସମସ୍ତ କର୍ମଚାରୀଙ୍କ ଛୁଟିକୁ ଏପ୍ରିଲ ୧୫ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି |