ନୂଆଦିଲ୍ଲୀ : ପୂର୍ବ ଲଦାଖର ନିକଟବର୍ତ୍ତୀ କେତେକ ଅଞ୍ଚଳରେ ଚୀନ ସେନା ଯ଼ୁଦ୍ଧାଭ୍ୟାସ କରିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ତେବେ ଏ ନେଇ ଚିନ୍ତାର କୌଣସି କାରଣ ନାହିଁ ବୋଲି ସେନାଧ୍ୟକ୍ଷ ଜେନେରାଲ ଏମଏମ ନାରାଓ୍ବାଣେ କହିଛନ୍ତି ।

Advertisment

ସେ କହିଛନ୍ତି ଯ଼େ ବର୍ଷର ଏହି ସମୟରେ ଉଭୟ ଭାରତ ଓ ଚୀନ ସେନା ନିଜ ନିଜର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଯ଼ୁଦ୍ଧାଭ୍ୟାସ କରିଥାନ୍ତି । ଚୀନ ପକ୍ଷରୁ ସେହିପରି ଏକ ନିୟମିତ ଯ଼ୁଦ୍ଧାଭ୍ୟାସ କରାଯ଼ାଉଛି । କିନ୍ତୁ କିଛି ମାସ ପୂର୍ବେ ପେଙ୍ଗାଙ୍ଗ ହ୍ରଦ ନିକଟରୁ ହୋଇଥିବା ସୈନ୍ୟ ଅପସାରଣକୁ ଉଭୟ ପକ୍ଷ ଏବେ ବି ସମ୍ମାନ କରୁଛନ୍ତି । ଉଭୟ ସେନା ନିଜର ପୂର୍ବ ସ୍ଥିତିରୁ ଆଗକୁ ବଢିନାହାନ୍ତି ।

ସେନାଧ୍ୟକ୍ଷଙ୍କ ବୟାନ ସତ୍ତ୍ବେ ଚୀନର ଗତିବିଧି ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିଛି । କାରଣ ଗତ ବର୍ଷ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନା ପୂର୍ବ ଲଦାଖର କେତେକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ଦୁଇପକ୍ଷ ମଧ୍ୟରେ ଏକ ବଡ଼ ଧରଣର ବିବାଦ ଆରମ୍ଭ ହୋଇଥିଲା । ବିବାଦ ତୀବ୍ର ରୂପ ଧାରଣ କରି ଜୁନ ୧୫ରେ ଗଲଓ୍ବାନ ଘାଟିରେ ତାହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା ।