ସୁପ୍ରିମ୍ କୋର୍ଟଙ୍କ ରାୟ: ମହରମ୍ ପଟୁଆର ବାହାରି ପାରିବ ନାହିଁ

ନୂଆଦିଲ୍ଲୀ: ଦେଶରେ ମହରମ୍ ପଟୁଆର ବାହାର କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିବେଦନ କରି ଶିଆ ମୌଲବୀ ମୌଲାନା କାଲ୍‌ବେ ଜୱାଦ୍ ଫାଇଲ୍‌ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଗୁରୁବାର ଦିନ ଖାରଜ କରିଛନ୍ତି। ଦେଶରେ ବଢ଼ି ଚାଲିଥିବା କରୋନାଭାଇରସ୍ ମାମଲା ପ୍ରତି ଦୃଷ୍ଟି ଦେଇ ସୁପ୍ରିମ୍ କୋର୍ଟ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠ କହିଲେ, ଏହି ସାଧାରଣ ଆଦେଶନାମା ଗୋଳମାଳ ସୃଷ୍ଟି କରିପାରେ। କୋଭିଡ୍ ବିସ୍ତାର ନିମନ୍ତେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସମାଲୋଚନା କରାଯିବ। ଅନେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ବିପଦଗ୍ରସ୍ତ କରିବା ଭଳି ଆଦେଶ ଆମେ ଦେଇ ପାରିବୁ ନାହିଁ।

ଭାରତର ପ୍ରଧାନ ବିଚାରପତି ଏସ୍‌ଏ ବ‌ୋବ୍‌ଡେଙ୍କ ନେତୃତ୍ବାଧୀନ ଏହି ଖଣ୍ଡପୀଠ କହିଲେ ଯେ, ମହରମ ପଟୁଆର ବାହାରିବା ନିମନ୍ତେ ନି‌ର୍ଦ୍ଦିଷ୍ଟ କୌଣସି ସ୍ଥାନ ନାହିଁ ଯେଉଁଠି କଟକଣା ଓ ସତର୍କତାମୂଳକ ବନ୍ଦୋବସ୍ତ ଜାରି କରି ହେବ। ଏହି ସମ୍ପ୍ରଦାୟ ନିମନ୍ତେ ସମଗ୍ର ଦେଶ ଲାଗି ଅନିର୍ଦ୍ଧାରିତ ନିର୍ଦେଶନାମା ପାଇଁ ଆପଣ ନିବେଦନ କରୁଛନ୍ତି।

Image Courtesy of National Herald

ଶିଆ ମୌଲବୀଙ୍କ ଓକିଲ ପୁରୀ ମନ୍ଦିର ରଥଯାତ୍ରା ଲାଗି ଅନୁମତି ଦିଆଯାଇଥିବା ପ୍ରସଙ୍ଗ ମଧ୍ୟ ଦର୍ଶାଇ ଥିଲେ। କିନ୍ତୁ, ଅଦାଲତ କହିଲେ, ପୁରୀ ଜଗନ୍ନାଥ ମାମଲା ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନର ଘଟଣା। ରଥ ‘କ’ ମୁଣ୍ଡରୁ ବାହାରି ‘ଖ’ ମୁଣ୍ଡକୁ ଯାଏ। ମହରମ ଯଦି ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥାଆନ୍ତା ଆମେ ବିପଦ ଆକଳନ କରି ଆଦେଶ ଜାରି କରିଥାଆନ୍ତୁ।

ଏଥିସହ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ସୀମିତ ଜନତାଙ୍କୁ ଧରି ପଟୁଆର ବାହାର କରିବା ନିମନ୍ତେ ଅନୁମତି ପାଇବାକୁ ସେ ରାଜ୍ୟ ହାଇକୋର୍ଟରେ ଆବେଦନ କରନ୍ତୁ।

ଏ ବର୍ଷ ଅଗଷ୍ଟ ୨୯ ତାରିଖ ଦିନ ମହରମ ପଡୁଛି।

 

ସମ୍ବନ୍ଧିତ ଖବର