ଅକୋଲା: ‘ବଞ୍ଚିତ ବହୁଜନ ଆଘାଡ଼ୀ’ର ମୁଖ୍ୟ ପ୍ରକାଶ ଆମ୍ବେଦକର ଔରଙ୍ଗାବାଦସ୍ଥିତ ମ‌ୋଗଲ ସମ୍ରାଟ ଔରଙ୍ଗ୍‌ଜେବଙ୍କ ସମାଧି ଦର୍ଶନ କରିବା ପ୍ରସଙ୍ଗରେ ବିବାଦ ଚାଲିଥିବା ବ‌େଳେ ରବିବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି ଯେ, ଭାରତର କୌଣସି ମୁସଲ୍‌ମାନ୍‌ ଔରଙ୍ଗଜେବ୍‌ଙ୍କ ଦାୟାଦ ନୁହନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଥିବା ଜାତୀୟତାବାଦୀ ମୁସଲ୍‌ମାନ୍‌ମାନେ ଔରଙ୍ଗଜେବଙ୍କୁ ନେତା ମାନ୍ୟତା ଦିଅନ୍ତି ନାହିଁ।

ସୂଚନାଯୋଗ୍ୟ, ଭୀମରାଓ ଆମ୍ବେଦକରଙ୍କ ବଂଶଜ ପ୍ରକାଶ ଆମ୍ବେଦକର ଔରଙ୍ଗାବାଦ ଜିଲ୍ଲାରେ ଥିବା ଔରଙ୍ଗ୍‌ଜେବ୍‌ଙ୍କ ସମାଧି ଦର୍ଶନ କରିବାର ଦିନକ ପରେ ଅକୋଲାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ଫଡ଼ନବୀସ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

publive-image Image Courtesy of India Today

ସେ କହିଛନ୍ତି, ଅକୋଲା, ସମ୍ଭାଜୀନଗର ଏବଂ କୋହ୍ଲାପୁରରେ ଯାହା ଘଟିଗଲା ତାହା କାକତାଳୀୟ ନୁହେଁ, ପରୀକ୍ଷଣ। ରାଜ୍ୟରେ ଔରଙ୍ଗ୍‌ଜେବ୍‌ଙ୍କର ଏତେ ସମର୍ଥକ କୁଆଡୁ ବାହାରି ପଡ଼ିଲେ?

ଔରଙ୍ଗ୍‌ଜେବ୍‌ କେମିତି ଆମର ନେତା ହୋଇପାରନ୍ତି? ଆମର ଜଣେ ରାଜା ଥିଲେ। ସେ ହେଉଛନ୍ତି ଛତ୍ରପତି ଶିବାଜୀ ମହାରାଜ। ଭାରତରେ ଥିବା ମୁସଲ୍‌ମାନ୍‌ମାନେ ବି ଔରଙ୍ଗଜେବଙ୍କ ବଂଶଧର ନୁହନ୍ତି। କୁହନ୍ତୁ, କିଏ ଔରଙ୍ଗ୍‌ଜେବ୍‌ଙ୍କର ଦାୟାଦ? ଔରଙ୍ଗ୍‌ଜେବ୍‌ ଓ ତାଙ୍କର ପୂର୍ବଜମାନେ ବିଦେଶରୁ ଆସିଥିଲେ। ଏ ଦେଶରେ ଥିବା ଜାତୀୟତାବାଦୀ ମୁସଲ୍‌ମାନ୍‌ମାନେ ବି ତାଙ୍କୁ ସମର୍ଥନ କରନ୍ତିନାହିଁ; କେବଳ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ନେତା ଭାବେ ସ୍ବୀକୃତି ଦିଅନ୍ତି ବୋଲି ଫଡ଼ନବୀସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ କିଏ ଔରଙ୍ଗ୍‌ଜେବ୍‌ଙ୍କ ବଂଶଜ ସୃଷ୍ଟି କରୁଛନ୍ତି। ଶାନ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ଔରଙ୍ଗ୍‌ଜେବ୍‌ଙ୍କ ସମାଧିସ୍ଥଳକୁ ଯାଇ ପ୍ରକାଶ ଶ୍ରଦ୍ଧାସୁମନ ଦେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ ବିଭିନ୍ନ ବର୍ଗଙ୍କଦ୍ବାରା ଭୀଷଣ ସମାଲୋଚିତ ହେଉଛି। ଔରଙ୍ଗ୍‌ଜେବ୍‌ ଆମ ଦେଶକୁ ଦୀର୍ଘଦିନ ଶାସନ କରିଥିଲେ ବୋଲି ପ୍ରକାଶ କହିଛନ୍ତି।