ଚଳିତ ବର୍ଷର ନବାନ୍ନ ଭୋଜିରେ ଦିଦିଙ୍କ ମନ୍ତ୍ରୀ ଓ ବାବୁଙ୍କ ପାଇଁ ମଟନ୍ ଓ ଟାଇଗର ପ୍ରନ୍ ପାଲଟିଲା ସ୍ୱପ୍ନ!
ମିଳିଲା ଶୁଖିଲା ପନିର ଓ ଖଣ୍ଡେ ରୋହି...
କୋଲକାତା: ପଶ୍ଚିମବଙ୍ଗର ମନ୍ତ୍ରୀ ଓ ବାବୁ (ସଚିବ)ମାନଙ୍କର ମନ ଏବେ ଭାରି ଖରାପ! ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ଶେଷକୁ ଏମିତି କରିବେ ବୋଲି, ସେମାନଙ୍କ ଧାରଣା ବାହାରେ ଥିଲା! ଖାସ୍ ଦିଦିଙ୍କ ପାଇଁ ଚଳିତ ବର୍ଷ ନବାନ୍ନରେ ମନ୍ତ୍ରୀ ଓ ବାବୁମାନଙ୍କ ପାଟିରେ ଟିକେ ଶାଗୁଆତି (ମଟନ୍) କିମ୍ବା ବାଗ୍ଦା ଚୁଙ୍ଗୁଡ଼ି (ଟାଇଗର ପ୍ରନ୍) କିଛି ବି ହେଲେ ବାଜିଲା ନାହିଁ!
Sambad is now on WhatsApp
Join and get latest news updates delivered to you via WhatsApp
ଫି’ ବର୍ଷ ପଶ୍ଚିମବଙ୍ଗ ସଚିବାଳୟରେ ମନ୍ତ୍ରୀ ଓ ବାବୁମାନଙ୍କ ପାଇଁ ଆୟୋଜିତ ହେଉଥିବା ନବାନ୍ନ ଭୋଜିରେ ଶାଗୁଆତି (ମଟନ୍) ଓ ବାଗ୍ଦା ଚୁଙ୍ଗୁଡ଼ି (ଟାଇଗର ପ୍ରନ୍)ର ସୁଅଛୁଟି ଧୂଆଁ ଉଡ଼ୁଥିବା ବେଳେ ଚଳିତ ବର୍ଷ ଏସବୁ ସ୍ୱପ୍ନ ପାଲଟି ଯାଇଥିଲା! ଆଗରୁ ବି ଏବାବଦରେ କିିଛି ବି ହେଲେ ସୁରାକ ପାଇ ପାରି ନଥିଲେ ମନ୍ତ୍ରୀ ଓ ବାବୁମାନେ! ଆଗରୁ ଜାଣିଥିଲେ ହେଲେ, କିଛି ନହେଲେ ଅଳ୍ପ ହେଉ ପଛେ ନବାନ୍ନରେ ଟିକେନାକୁ ଶାଗୁଆତି ନହେଲେ ବାଗ୍ଦା ଚୁଙ୍ଗୁଡ଼ିର ଆୟୋଜନ ନିଜ ଘରେ କରିଥାନ୍ତେ! କିନ୍ତୁ, ଶେଷକୁ ଦିଦି ସେମାନଙ୍କ ସହ ଏମିତି କପଟ କରିବେ ବୋଲି କିଏ ଅବା ଜାଣିଥିଲା?
ସକାଳୁ କେବଳ ଲେମ୍ବୁ ପାଣି ପିଇ ମଧ୍ୟାହ୍ନରେ ନବାନ୍ନ ଭୋଜି ଖାଇବାକୁ ବସିବା ବେଳେ ମିଳିଲା ଶଖିଲା ପନିର (ଛେନା) ଟିକେ ଓ ପତଳା ରୋହି ମାଛ ଖଣ୍ଡେ! ୟା’କୁ ପତ୍ରରେ ଦେଖିବା ପରେ ଅଣସର ଗୁଳୁଗୁଳିରେ ମୁଣ୍ଡ ଘୂରି ଗଲା ମନ୍ତ୍ରୀ ଓ ବାବୁମାନଙ୍କର! ହେଲେ, ପାଟି ଖୋଲିବ କିଏ? ପାଟି ଖୋଲିଲେ କଞ୍ଚା ଖାଇଯିବେ ଦିଦି!…
ହେଲେ, ବୁଝୁବୁଝୁ କଥା କ’ଣ ନା ଦିଦି ଏବେ ରାଜ୍ୟରେ ଯେଉଁ ଅର୍ଥନେତିକ ସଂସ୍କାର ଆରମ୍ଭ କରିଛନ୍ତି ଇଏ ହେଉଛି ତା’ର ପ୍ରଭାବ। ପୂର୍ବରୁ ଦିଦି ରାଜ୍ୟର ମନ୍ତ୍ରୀ ଓ ବାବୁମାନଙ୍କୁ ସାଫ୍ ସାଫ୍ ଶୁଣାଇ ଦେଇଥିଲେ, ରାଜକୋଷ ଧନ ହେଉଛି ରାଜ୍ୟବାସୀଙ୍କ ଧନ। ତା’ର ଅପବ୍ୟବହାର ହୋଇ ପାରିବ ନାହିଁ। ସେଥିପାଇଁ ପୂର୍ବରୁ ଦିଦି ମନ୍ତ୍ରୀ ଓ ବାବୁମାନଙ୍କର ସମସ୍ତ ବଳାସପୂର୍ଣ୍ଣ ବ୍ୟୟ ଯେପରିକି ନୂଆ ଗାଡ଼ି, ଏସି, ନିଜ ଗୃହ ଓ ଅଫିସ ସାଜସଜ୍ଜା, ମିଟିଂରେ ଜଳଖିଆ, ବିଜିନେସ୍ କ୍ଲାସ୍ରେ ବିମାନ ଯାତ୍ରା ଇତ୍ୟାଦ, ଇତ୍ୟାଦି ଉପରେ କଟକଣା ଜାରି ସହ ସଂପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଥିଲେ। ସେହି କ୍ରମରେ ଏବେ ନବାନ୍ନ ଭୋଜିରେ ବି ଶାଗୁଆତି (ମଟନ୍) ଓ ବାଗ୍ଦା ଚୁଙ୍ଗୁଡ଼ି (ଟାଇଗର ପ୍ରନ୍) ବନ୍ଦ କରିଦେଲେ! ଦେଖାଯାଉ ଦିଦି ଆଗକୁ ଆଉ କ’ଣ ସବୁ ବନ୍ଦ କରୁଛନ୍ତି?