ଜୟପୁର: ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଛନ୍ତି ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଛି।

Advertisment

ଏହି ଖବର ପାଇ ଅଞ୍ଜୁଙ୍କ ଝିଅ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦଙ୍କ କହିବା ମୁତାବକ, ପିଲାମାନେ କହୁଛନ୍ତି ଯେ ବାପା ଆପଣ ଜମା ବି ଚିନ୍ତା କରନ୍ତୁ ନାହିଁ। ଯାହା ଘଟେ ଭଲ ପାଇଁ ଘଟେ। ଅଞ୍ଜୁ ମିଛ କହି ପାକିସ୍ତାନ ଯାଇଛନ୍ତି। ଯଦି ସେ ଫେରି ଆସନ୍ତି, ତେବେ ମୁଁ ତାଙ୍କୁ ଗ୍ରହଣ କରିବି ନାହିଁ। ସେ ନିଜ ଇଚ୍ଛାରେ ନସରୁଲ୍ଲାଙ୍କ ପାଖକୁ ଯାଇଛନ୍ତି। ପିଲାମାନେ ମଧ୍ୟ ଅଞ୍ଜୁଙ୍କ ଉପରେ ବହୁତ ରାଗିଛନ୍ତି। ମୋ ଝିଅ କହୁଛି ଯେ, ମା’ଙ୍କୁ ଆଉ ଆସିବାର ଆବଶ୍ୟକତା ନାହିଁ। ଆମେ ତାଙ୍କ ମୁହଁ  ଦେଖିବାକୁ ମଧ୍ୟ ଚାହୁଁନାହୁଁ।

ତେବେ କୁହାଯାଉଛି ଯେ, ଅଞ୍ଜୁ ଇସଲାମ ଗ୍ରହଣ କରି ଫାତିମା ହେବା ସହ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଞ୍ଜୁ ଓ ନସରୁଲ୍ଲା ଦୁହେଁ ବିବାହ କରିଥିବା ଖବରକୁ ଗ୍ରହଣ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।