ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଗ୍ରୀମ ନୋଟିସ ଦେବାର ଆବଶ୍ୟକତା ନାହିଁ: ଉତ୍ତର ଦିଲ୍ଲୀ ମହାନଗର ନିଗମ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ଜବରଦଖଲ ଉଚ୍ଛେଦ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ଜାହାଙ୍ଗୀରପୁରୀବାସୀ ଅଗ୍ରୀମ ନୋଟିସ ଦିଆଯାଇନଥିବା ନେଇ ଅଭିଯୋଗ କରିଥିଲେ। ଏବେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଗ୍ରୀମ ନୋଟିସ ଦେବାର ଆବଶ୍ୟକତା ନାହିଁ। ଏହା ପ୍ରଥମ ନୁହେଁ ୨୦୨୨ରେ ଜାନୁଆରିରୁ ଏପ୍ରିଲ ମଧ୍ୟରେ ୪ଥର ଜବରଦଖଲ ଉଚ୍ଛେଦ ହୋଇସାରିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶନିବାର ହୋଇଥିବା ହିଂସା ପରେ ଆଜି ପୁଣି ଏହି ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଜି ସକାଳୁ ସକାଳୁ ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର୍‌ ରାଜା ଇକ୍‌ବାଲ୍‌ ସିଂହ କହିଥିଲେ ଯେ, ସମଗ୍ର ଦିଲ୍ଲୀରେ ଜବରଦଖଲ ବିରୋଧୀ ଅଭିଯାନ ଚାଲିବ। ଏହି ଅଭିଯାନ ଲାଗି ଆମେ ନିରାପତ୍ତା ପାଇଁ ଅନୁରୋଧ କରିଛୁ।

ତେବେ ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ଆରମ୍ଭ ହେବାର କିଛି ଘଣ୍ଟା ପରେ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବରିଷ୍ଠ ଆଡ୍‌ଭୋକେଟ୍‌ ଦୁଷ୍ୟନ୍ତ ଦାୱେ କହିଛନ୍ତି, ଜାହାଙ୍ଗୀରପୁରୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଅଣସ୍ବୀକୃତ ଅସାମ୍ବିଧାନିକ ଉଚ୍ଛେଦ ଆଦେଶ ଦିଆଯାଇଛି।

ଦିଲ୍ଲୀର ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କ ବୟାନ ପରେ ଉତ୍ତର ଦିଲ୍ଲୀ ମହାନଗର ନିଗମ ଉଚ୍ଛେଦ କାମ ଆରମ୍ଭ କରିଥିଲା ବୋଲି ଚର୍ଚ୍ଚା ହେଉଛି। ଆଦେଶ ଗୁପ୍ତା କହିଥିଲେ ଯେ, ଶନିବାର ଜାହାଙ୍ଗୀରପୁରୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ସାମିଲ ଅଭିଯୁକ୍ତମାନେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରେ ରହୁଛନ୍ତି। ଏହାକୁ ଭାଙ୍ଗିଦେବା ଉଚିତ୍।

ସମ୍ବନ୍ଧିତ ଖବର