ଏ ବର୍ଷ ଆସିବନି ନୂଆ ଯୋଜନା

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରାଳୟକୁ ଏବେ ଅର୍ଥ ଚିନ୍ତା ଘାରିଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସରକାରଙ୍କ ରାଜସ୍ବ ଆଦାୟ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି। ତେଣୁ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ କୌଣସି ନୂଆ ଯୋଜନା ‌ଆରମ୍ଭ ନକରିବାକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟକୁ ଆଜି ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ସମ୍ବଳକୁ ଠିକ୍‌ ଭାବେ ବିନିଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି। କିନ୍ତୁ ଲକଡାଉନ୍ ‌ବେଳେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ ଏବଂ ଆଗାମୀ ଦିନରେ ଏ ନେଇ ଘୋଷଣା ହେବାକୁ ଥିବା ଅନ୍ୟ କୌଣସି ସ୍ବତନ୍ତ୍ର ପ୍ୟାକେଜ ବାବଦରେ ଅର୍ଥ ଆବଣ୍ଟନ କରାଯିବ। ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଚଳିତ ଆର୍ଥିକ ବର୍ଷ ପାଇଁ ଯେଉଁସବୁ ଯୋଜନାକୁ ମଞ୍ଜୁରି ମିଳିଛି ସେଗୁଡ଼ିକ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏଥିସହିତ ଇନ୍-ପ୍ରିନ୍ସପଲ୍‌ ଆପ୍ରୁଭାଲ (‌ସୈଦ୍ଧାନ୍ତିକ ‌ମଞ୍ଜୁରି) ହାସଲ କରିଥିବା ଯୋଜନା ଗୁଡ଼ିକ ମଧ୍ୟ ସ୍ଥଗିତ ରହିବ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସରକାରୀ ଆର୍ଥିକ ସମ୍ବଳ ଉପରେ ମାତ୍ରାଧିକ ଚାପ ସୃଷ୍ଟି ହୋଇଛି। ତେଣୁ ଆବଶ୍ୟକତା ଓ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଅର୍ଥର ବିଜ୍ଞ ଉପଯୋଗ କରାଯିବାର ଆବଶ୍ୟକତା ରହିଛି ବୋଲି ବ୍ୟୟ ବିଭାଗ ସ୍ପଷ୍ଟ କରିଦେଇଛି। ତେବେ ବ୍ୟୟ ବିଭାଗ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଚାଲୁ ରହିଥିବା ଯୋଜନା ଗୁଡ଼ିକ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିମ୍ବା ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବା ଦିନ ପର୍ଯ୍ୟନ୍ତ (ଯେଉଁଟି ଆଗ) ଜାରି ରହିବ।

ସମ୍ବନ୍ଧିତ ଖବର