ନୂଆଦିଲ୍ଲୀ: ନା ଆତ୍ମପ୍ରଚାର କାମ କଲା ନା କାମ କଲା ବିଭିନ୍ନ ଦେଶର ମୁଖିଆଙ୍କ ଲବି । ଫୁସକିଗଲା ସବୁ ପ୍ରଚାର, ପ୍ରଭାବ ପକାଇଲାନି କାହାର ଲବି ଓ ଦାବି । ଦେଶ-ଦେଶ ଭିତରେ ହେଉଥିବା ଯୁଦ୍ଧରେ ନିଜ ଆଡୁ ନାକ ପୂରାଇ ଯୁଦ୍ଧରେ ଯବନିକା ପକାଇବା ଆଳରେ ଟ୍ରମ୍ପ ଯେଉଁ ଜାଲ ଫିଙ୍ଗନ୍ତି ସେ ଜାଲ ବି ଫାଟିଗଲା । ନିଜ ପାଇଁ ଅନେକ ପ୍ରଚାର କରିବା ସତ୍ତ୍ବେ ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଲାଗିଲା । ନୋବେଲ ଶାନ୍ତି ପୁରସ୍କାରକୁ ନେଇ ତାଙ୍କର ସବୁ ସ୍ବପ୍ନ ଚୁରମାର ହୋଇ ଭାଙ୍ଗିଗଲା ।
ବିଶ୍ବରେ ଯେଉଁଠି ଯୁଦ୍ଧ ଉଗ୍ର ରୂପ ନିଏ ଆଉ ଯୁଦ୍ଧର ଭୟାବହ ପରିସ୍ଥିତିରେ ସାରା ଦୁନିଆ ଚିନ୍ତିତ ହୋଇପଡେ । ସେତେବେଳେ ଖୋଜା ପଡନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯେତେବଡ ଯୁଦ୍ଧ ସ୍ଥିତି ଥାଉନା କାହିଁକି ଚୁଟକିରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରି ଦିଅନ୍ତି ଆଉ ଯୁଦ୍ଧ ଲଢୁଥିବା ଦେଶରେ ଶାନ୍ତି ଆଣନ୍ତି । ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧରେ ବିରତି ଲଗାଇ ଶାନ୍ତିର ବିହଙ୍ଗ ଉଡାଇଥିବା ଟ୍ରମ୍ପଙ୍କୁ କେହି କେହି ମିଡିଲ୍ ମ୍ୟାନ୍ ବୋଲି ବି ଡାକନ୍ତି । ଆଉ ତାଙ୍କର ସେହି ମଧ୍ଯସ୍ଥତା ପାଇଁ ତାଙ୍କୁ ଏଥର ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ ବୋଲି ବି ଦାବି ଜୋର ଧରିଥିଲା । ଅନେକ ଦେଶରେ ଶାନ୍ତି ଫେରାଇ ଆଣୁଥିବାରୁ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ନିଜେ ଦାବି କରୁଥିଲେ ଟ୍ରମ୍ପ। ହେଲେ ଆଜି ତାଙ୍କର ସେ ସ୍ବପ୍ନ ଭାଙ୍ଗିଯାଇଛି। ତାଙ୍କ ପରିବର୍ତ୍ତେ ନୋବେଲ କମିଟି ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି।
ଆଉ ଏହି ଘୋଷଣା ପରେ ଟ୍ରମ୍ପଙ୍କ ସବୁ ଆଶା ଆଶାରେ ରହିଯାଇଛି, ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର ହେଇଯାଇଛି ଆଉ ଯେଉଁ ଲବି ସେ ବୁଲି ବୁଲି କରୁଥିଲେ ବୋଲି ଅଭିଯୋଗ ହୁଏ ସେ ଅଭିଯୋଗ ଉଭେଇଯାଇଛି । ସେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ କି ଇରାନ-ଇସ୍ରାଏଲ ଯୁଦ୍ଧ । ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ହେଉ କି ମିଶର ଏବଂ ଇଥିଓପିଆ ମଧ୍ୟରେ ଯୁଦ୍ଧ । ସବୁଠି ଟ୍ରମ୍ପ୍ ନିଜର ମଧ୍ୟସ୍ଥତା ବଳରେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ଆଉ ଯୁଦ୍ଧ ବନ୍ଦ କରି ସେ ଏହା ବି କହିଛନ୍ତି ମୁଁ ଯୁଦ୍ଧ କୌଣସି ନୋବେଲ ପୁରସ୍କାର ପାଇବା ପାଇଁ କରୁନି । ବରଂ ଶାନ୍ତି ଫେରାଇ ଆଣିବା ପାଇଁ କରୁଛି ।
ଯଦିଓ ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିବା ପରେ ତେଲୁଆ ପାକିସ୍ତାନ ଟ୍ରମ୍ପଙ୍କୁ ମିଛ ପ୍ରଶଂସା କରିବାକୁ ଯାଇ ତାଙ୍କୁ ଏଥର ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ଦାବି କରିଥିଲା । ପାକିସ୍ତାନ ପରେ ପରେ ଇସ୍ରାଏଲ ବି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାରର ଦାବି କରିଥିଲା । ତେବେ ଅନେକ ଦେଶର ଟ୍ରମ୍ପଙ୍କ ପାଇଁ ଲବି କରିବା ପରେ ଟ୍ରମ୍ପ ବି ନିଜକୁ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲେ । ଆଉ କହିଥିଲେ- ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି, ଯାହା ଏହା ପୂର୍ବରୁ କେବେ ହୋଇନାହିଁ। କିନ୍ତୁ ନୋବେଲ କମିଟିକୁ ଯାହା କରିବାର ଥିବ ସେ କରିବେ। ସେମାନେ ଯାହା କରନ୍ତି ତାହା ଠିକ୍ । ମୁଁ କୌଣସି ପୁରସ୍କାର ପାଇଁ ଯୁଦ୍ଧ ବନ୍ଦ କରିନାହିଁ। ମୁଁ ଅନେକ ଜୀବନ ବଞ୍ଚାଇବାକୁ ଏଭଳି କରିଛି। ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା କିଛି ନ କରିବା ସତ୍ତ୍ବେ ବି ନୋବେଲ ପୁରସ୍କାର ପାଇଛନ୍ତି। ସେ ନିର୍ବାଚିତ ହେବା ପରେ ନୋବେଲ କମିଟି ଓବାମାଙ୍କୁ କେବଳ ଆମ ଦେଶକୁ ନଷ୍ଟ କରିବା ପାଇଁ ପୁରସ୍କାର ଦେଇଦେଲେ। ଓବାମା ଜଣେ ଭଲ ରାଷ୍ଟ୍ରପତି ନଥିଲେ" ବୋଲି କହିବା ସହ ଟ୍ରମ୍ପ ନିଜ ପାଇଁ ଓକିଲାତି କରିଥିଲେ ହେଁ ତାଙ୍କୁ କିନ୍ତୁ ନୋବେଲ କମିଟି ଏହି ପୁରସ୍କାରରୁ ବାଦ୍ ଦେଇଛି ।