ଚୀନ ସହ ଭାରତ ସମ୍ପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବାକୁ ଯାଉଛି । କିନ୍ତୁ ସବୁଠାରୁ ଜନବହୁଳ ଦେଶ ଜାତିସଂଘର ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନହେବା ନିରାପତ୍ତା ପରିଷଦର ଭରସାଯୋଗ୍ୟତା ଉପରେ ପ୍ରଶ୍ନଚିହ୍ନ ଲଗାଇବ ବୋଲି କହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।

ଚୀନର ନାଁ ନ ନେଇ ସେ କହିଛନ୍ତି ଯେ କେତେକ ନ୍ୟସ୍ତସ୍ବାର୍ଥ ଦେଶଙ୍କ ଯୋଗୁଁ ନିରାପତ୍ତା ପରିଷଦରେ ସଂସ୍କାର ଆସିପାରୁନାହିଁ ।

ବେଙ୍ଗାଲୁରୁଠାରେ ଜୟଶଙ୍କର କହିଛନ୍ତି ଯେ ଚୀନ ସହ ଭାରତର ସଂପର୍କ ଏବେ ସ୍ବାଭାବିକ ଅବସ୍ଥାରେ ନାହିଁ । ଏହାର କାରଣ ହେଉଛି ସୀମାରେ ସ୍ଥିତି ସ୍ବାଭାବିକ ନାହିଁ । ସୀମାର ସ୍ଥିରତା ଓ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରୁଛି ଚୀନ ।

ଆହୁରି ମଧ୍ୟ ଭାରତର ଅଖଣ୍ଡତାକୁ ବିପନ୍ନ କରି ଏକ ୩ୟ ଦେଶ (ଚୀନ) ଏକ ୨ୟ ଦେଶ (ପାକିସ୍ତାନ) ଦ୍ବାରା ଅଧିକୃତ ଆମ ଅଂଚଳରେ ନିର୍ମାଣ କାର୍ଯ୍ୟ କରୁଛି । ତେବେ ସୀମାରେ ଆମ ସେନା ବୀରତ୍ବର ସହ ଛିଡ଼ା ହୋଇଛି ଓ ଭାରତୀୟ ଅଂଚଳକୁ ଫେରାଇଆଣିବାରେ ଅଗ୍ରଗତି ହାସଲ କରିଛି ।

ଚୀନ ବାରମ୍ବାର ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଉଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏଥିଲାଗି ଚୀନ ଆତ୍ମଚିନ୍ତନ କରିବା ଦରକାର । ନିକଟରେ ଜାତିସଂଘରେ ଚୀନ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଆଝାର ବିରୋଧରେ ଆସିଥିବା ଏକ ପ୍ରସ୍ତାବକୁ ସ୍ଥଗିତ କରିଦେଇଥିଲା ।

 

 

ସମ୍ବନ୍ଧିତ ଖବର