ଓଡ଼ିଶା ପୁଣି ଉପେକ୍ଷିତ: ଅଟଲ ଏକାଡେମି ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶରେ ବୈଷୟିକ ଶିକ୍ଷାର ଗୁଣବତ୍ତା ଉନ୍ନତି କରିବା ଉଦ୍ଦେଶ୍ୟରେ ଦେଶର ୧୦ଟି ବଡ଼ ସହରରେ ଏଆଇସିଟିଇ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଅଟଲ) ଏକାଡେମି ଖୋଲାଯିବ। ଆଶ୍ଚର୍ଯ୍ୟର କଥା ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁ ୧୦ଟି ସହରରେ ଏଆଇସିଟିଇ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଅଟଲ) ଏକାଡେମି ଖୋଲଯିବା ବୋଲି ଘୋଷଣା କରାଯାଇଛି ସେଥିରେ ଓଡ଼ିଶାର ସ୍ଥାନ ନାହିଁ। ଏ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଟନା, କାନପୁର, ଡେରାଡୁନ୍, ଭୋପାଳ, ଚେନ୍ନାଇ, ମୁରଥଲ, ବେଙ୍ଗାଲୁରୁ, ଶ୍ରୀନଗର, ହାଇଦ୍ରାବାଦ ଓ କୋଲକାତାରେ ଏଆଇସିଟିଇ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଅଟଲ) ଏକାଡେମି ଖୋଲାଯିବ। ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍ ଟେକ୍ନିକାଲ ଏଜୁକେସନ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଏଆଇସିଟିଇ) ଦ୍ବାରା ଗତ ବର୍ଷ ୫ଟି ସହରରେ ତଥା ଜୟପୁର, ଭଦୋଦରା, ଥିରୁବନନ୍ତପୁରମ, ଗୌହାଟି ଓ ଚଣ୍ଡିଗଡ଼ରେ ଏଆଇସିଟିଇ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଅଟଲ) ଏକାଡେମି ଖୋଲା ଯାଇଥିଲା। ନିକଟରେ ଏଆଇସିଟିଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ୧୦ଟି ଏକାଡେମି ଖୋଲାଯିବାର ଘୋଷଣା କରିଥିଲେ।

ଓଡ଼ିଶାରେ ଆଇଆଇଟି, ଏନ୍‌ଆଇଟି, ଆଇଆଇଏମ୍ ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଥିବା ସତ୍ତ୍ବେ ଅଟଲ ଏକାଡେମି ପାଇଁ ଓଡ଼ିଶାକୁ ଚୟନ କରାନଯିବା ନେଇ ପ୍ରଶ୍ନ ଉଠିଛି। ତେବେ ସୂଚନାନୁଯାୟୀ ଆଗାମୀ ଦିନମାନଙ୍କରେ ଏଆଇସିଟିଇ ଟ୍ରେନିଂ ଆଣ୍ଡ୍‌ ଲର୍ଣ୍ଣିଂ (ଅଟଲ) ଏକାଡେମି ଆହୁରି ବହୁ ସଂଖ୍ୟାରେ ପ୍ରମୁଖ ସହରମାନଙ୍କରେ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଶାରେ ଆଗାମୀ ଦିନରେ ଅଟଲ ଏକାଡେମି ଖୋଲାଯିବ କି ନାହଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର