ବିଦେଶିନୀଙ୍କ ଠାରୁ ଜନ୍ମିତ କେହି ଦେଶପ୍ରେମୀ ହୋଇପାରିବନି: ପ୍ରଜ୍ଞା ଠାକୁର

ଭୋପାଳ: ଜଣେ ବିଦେଶିନୀଙ୍କ ଠାରୁ ଜନ୍ମ ନେଇ କେହି କେବେ ଦେଶପ୍ରେମୀ ହୋଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁ ନନେଇ ସୁଦ୍ଧା ପରୋକ୍ଷରେ ତାଙ୍କୁ ଆକ୍ଷେପ କରି ବିଜେପି ସାଂସଦ ପ୍ରଜ୍ଞା ଠାକୁର ଦେଇଥିବା ଏଭଳି ବିବାଦୀୟ ବୟାନ ପୁଣି ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଉଭୟ ରାହୁଲ ଏବଂ ତାଙ୍କ ମାଆ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦେଶଭକ୍ତି ଉପରେ ପ୍ରଜ୍ଞା ପ୍ରଶ୍ନ ଉଠାଇଛନ୍ତି। ଜଣେ ମାଟିର ସନ୍ତାନ କେବଳ ଦେଶର ସୁରକ୍ଷା କରିପାରିବ ବୋଲି ଚାଣକ୍ୟ କହିଥିବା କଥାକୁ ଉଲ୍ଲେଖ କରି ପ୍ରଜ୍ଞା ଠାକୁର ଜଣେ ବିଦେଶିନୀଙ୍କ ଜନ୍ମିତ ସନ୍ତାନ କେବେ ଦେଶପ୍ରେମୀ ହୋଇପାରିବ ନାହିଁ ବୋଲି କହିଛନ୍ତି। ଅପରପକ୍ଷେ, ଜଣକ ପାଖରେ ଦୁଇଟି ଦେଶର ନାଗରିକତା ଥିଲେ ତା’ ମନରେ କିଭଳି ଦେଶପ୍ରେମ ଜାଗ୍ରତ ହେବ ବୋଲି ପ୍ରଜ୍ଞା ପ୍ରଶ୍ନ କରିଛନ୍ତି। ସେହିପରି ଚୀନ୍ ପ୍ରସଙ୍ଗରେ ସରକାରଙ୍କ ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ ଦଳକୁ ମଧ୍ୟ ପ୍ରଜ୍ଞା ଛାଡ଼ିନାହାନ୍ତି। ଏହି ଦଳ ଏବେ ନୈତିକତା, ଆଚାରବିଚାର ଓ ଦେଶାତ୍ମବୋଧ ହରାଇବସିଛି ବୋଲି ସେ ଆକ୍ଷେପ କରିଛନ୍ତି।

ସମ୍ବନ୍ଧିତ ଖବର