ନୂଆଦିଲ୍ଲୀ : କିମ୍ବଦନ୍ତୀ ଯୋଦ୍ଧା ଲଚିତ ବରଫୁକନଙ୍କ ୪୦୦ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଇତିହାସକୁ ବିକୃତିରୁ ମୁକ୍ତ କରିବାପାଇଁ ଇତିହାସର ପୁନର୍ଲିଖନରୁ ଆମକୁ କେହି ଅଟକାଇ ପାରିବେନି। ମାତୃଭୂମି ପାଇଁ ଲଢ଼ି ବୀରତ୍ବ ପ୍ରଦର୍ଶନ କରିଥିବା ୩୦ ଶ୍ରେଷ୍ଠ ଭାରତୀୟ ସାମ୍ରାଜ୍ୟ ଏବଂ ୩୦୦ ଯୋଦ୍ଧାଙ୍କ ସମ୍ପର୍କରେ ଗ‌ବେ‌ଷଣା କରିବା ଏବଂ ଲେଖିବାପାଇଁ ଶାହ ଐତିହାସିକ ଏବଂ ଇତିହାସର ଛାତ୍ରମାନଙ୍କୁ ଅନୁରୋଧ କରିଛନ୍ତି।

Advertisment

ଶାହ କହିଛନ୍ତି, ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନ କେବଳ ଉତ୍ତର ପୂର୍ବ ଭାରତକୁ ସୁରକ୍ଷା ଦେଇନାହାନ୍ତି ବରଂ ସେ ଔରଙ୍ଗଜେବଙ୍କ କବଳରୁ ସମଗ୍ର ଦକ୍ଷିଣ ପୂର୍ବ ଏସିଆକୁ ସୁରକ୍ଷା ଦେଇଛନ୍ତି। ଲଚିତ ବରଫୁକନଙ୍କ ଜୀବନୀ ଏବଂ କାର୍ଯ୍ୟ ସଂକ୍ରାନ୍ତରେ ହିନ୍ଦୀ ସମେତ ୧୦ଟି ଭାଷାରେ ଲେଖିବାପାଇଁ ପଦକ୍ଷେପ ନିଆଯିବାକୁ ଗୃହମନ୍ତ୍ରୀ ଶାହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ କହିଛନ୍ତି। ଶାହ କହିଛନ୍ତି, ଅନେକ ସମୟରେ ଆମ ଇତିହାସକୁ ବିକୃତ କରାଯାଇଛି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏବେ ତ୍ରୁଟିମାର୍ଜନ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିହାସକାର ଏବଂ ଇତିହାସର ଛାତ୍ରମାନେ ଏ ଦିଗରେ ପର୍ଯ୍ୟାପ୍ତ ଭାବେ ଲେଖିବା ପରେ ପ୍ରଚଳିତ ଇତିହାସରେ ରହିଥିବା ମିଛ ଓ ବିକୃତି ଉଭେଇ ଯିବ ବୋଲି ଶାହ କହିଛନ୍ତି। ଏ ବାବଦ ଗବେଷଣା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଉପଲବ୍ଧ କରାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।